ଅବପାତରେ ପରିଣତ ସୁଦୃଶ୍ୟ ଲଘୁଚାପ

ସୁଦୃଶ୍ୟ ଲଘୁଚାପ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଦକ୍ଷିଣ ପୂର୍ବରେ ଅବପାତରେ ପରିଣତ ହୋଇଛି ବୋଲି ଆଇଏମଡି କହିଛି।

ଆଜି ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର,୦୧/୧୨/୨୩: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ସଂଲଗ୍ନ ଦକ୍ଷିଣ ପୂର୍ବରେ ଅବପାତରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ।

ସୂଚନାନୁସାରେ, ଏହି ଲଘୁଚାପ ଡିସେମ୍ବର ୨ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବା ସହ ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଡିସେମ୍ବର ୪ ତାରିଖ ସନ୍ଧ୍ୟା ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ଅତିକ୍ରମ କରି ଚେନ୍ନାଇ ଓ ମଛଲିପଟ୍ଟନମ୍ ମଝିରେ ବାତ୍ୟା ଛୁଇଁବ। ଏହି ବାତ୍ୟା ପୁଡୁଚେରୀଠାରୁ ୭୯୦ କିଲୋମିଟର, ଚେନ୍ନାଇଠାରୁ ୮୦୦ କିଲୋମିଟର, ବାପାଟଲାଠାରୁ ୯୯୦ କିଲୋମିଟର ଏବଂ ମଛଲିପାଟନମଠାରୁ ୯୭୦ କିଲୋମିଟର ଦୂରରେ ରହିଛି। ତେବେ, ବାତ୍ୟାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଅନ୍ୟପକ୍ଷରେ ଶୁକ୍ରବାର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା/ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଖଣ୍ଡମାଳ, କଳାହାଣ୍ଡି, ରାୟଗଡ଼ା ସମେତ ନୂଆପଡ଼ା, ବଲାଙ୍ଗୀର ଓ ବୌଦ୍ଧର କେତେକ ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି।