ଘଟଗାଁ ରାସ୍ତା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ, ୧୨ ଆହତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଘଟଗାଁ ରାସ୍ତା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି।

ମୃତକଙ୍କ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର, ୦୧/୧୨/୨୦୨୩: ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଲିଯୋଡ଼ି ଗ୍ରାମ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଛିଡ଼ା ହୋଇଥିବା ଟ୍ରକ୍ ପଛକୁ ଧକ୍କା ଦେବାରୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତକ ଗଞ୍ଜାମ ଦିଗପହଣ୍ଡିର ଦୁଇଟି ପରିବାରର ବୋଲି ଜଣାପଡ଼ିଛି। ପୋଡାମାରୀ ଗାଁର ୨୦ ଜଣ ଲୋକ ଭ୍ୟାନରେ ଜିଲ୍ଲାର ମା’ ତାରିଣୀ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଗାଁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।