5T ଅଧ୍ୟକ୍ଷ ଭିକେ ପଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ

ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ଼ ପରିଚାଳନା ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ କଲେ।

ସମୀକ୍ଷା କଲେ ପରିକ୍ରମା ପ୍ରକଳ୍ପ

ଭୁବନେଶ୍ଵର, ୦୨/୧୨/୨୩: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଦିଗରେ ପଦକ୍ଷେପ ନେବା ସହିତ ମଠଗୁଡିକର ପୁନରୁଦ୍ଧାର କାମ, ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପ୍ରତ୍ୟୁଷ ୫ ଟାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦି ଅଞ୍ଚଳର ତ୍ଵରିତ ବିକାଶ ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।

ଏହା ସହିତ ଭକ୍ତମାନଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାରଠାରୁ ମରୀଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ।

ସେହିପରି ଶ୍ରୀ ମନ୍ଦିର ଉତ୍ତର ଦକ୍ଷୀଣ ଓ ପଶ୍ଚିମ ପାର୍ଶ୍ୱର ଲ୍ୟାଣ୍ଡସ୍କେପିଂ କାମ ଡିସେମ୍ବର ୯ ସୁଦ୍ଧା ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ମଠ ପୁନଃ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବର୍ଜ୍ୟ ବସ୍ତୁ ବିଶୋଧନ କାରଖାନା, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ, ଆଇଜି, ଏସପି ଓବିସିସି ଏମଡି ଏବଂ ବିଭିନ୍ନ କାର୍ଯ୍ୟକାରୀ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।