ମିଚାଉଙ୍ଗ ପ୍ରଭାବ: କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

ବାତ୍ୟା ମିଚାଉଙ୍ଗ ପ୍ରଭାବରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

ମାଲକାନଗିରି, କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, ୦୬/୧୨/୨୩: ବାତ୍ୟା ମିଚାଉଙ୍ଗ ପ୍ରଭାବରେ ରାଜ୍ୟରେ ବର୍ଷାର ଲହରୀ ଦେଖାଯାଇଛି। ଓଡ଼ିଶାରେ ୫ ଜିଲ୍ଲାକୁ ସର୍ବାଧିକ ବର୍ଷା ଲାଗି ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ହାଲୁକା ବର୍ଷା ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। କୋରାପୁଟରେ ୧୦୬ ମିଲିମିଟର ପରିମାଣର ବର୍ଷା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୬.୫ ମିଲିମିଟର ବର୍ଷା ହୋଇଥିବା ବେଳେ ଡିସେମ୍ବର ୧ରୁ ୬ ମଧ୍ୟରେ ହାରାହାରି ୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେପଟେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସେହିପରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।