କାରରୁ ଜବତ ୯୦ କେଜି ଗଞ୍ଜେଇ

କୋରାପୁଟରେ ଏକ କାରରୁ ୫ଟି ବସ୍ତାରେ ୯୦ କେଜି ଗଞ୍ଜେଇ ଜବତ କରିଛି।

ଆନୁମାନିକ ମୂଲ୍ୟ ୯ ଲକ୍ଷ

କୋରାପୁଟ,୧୪/୧୨/୨୩: କୋରାପୁଟ ଜିଲ୍ଲା ଲମତାପୁଟ ଥାନା ଅନ୍ତର୍ଗତ କାଦ୍ରି ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ପୁଲିସ ଏକ କାରରୁ ପ୍ରାୟ ୯ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୯୦ କେଜି ଗଞ୍ଜେଇ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ପୁଲିସ ଲମତାପୁଟ ପୁଲିସ ସହ ମିଶି କାଦ୍ରି ଛକ ନିକଟରେ ବ୍ୟାରିକେଡ୍ ଲଗାଇ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ଦ୍ରୁତ ଗତିରେ ଆସୁଥିବା କାରକୁ ଦେଖି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲା। ପରବର୍ତ୍ତୀ ସମୟରେ ଏହା ଏକ ଜଙ୍ଗଲ ଅଞ୍ଚଳରେ ଧରା ପଡିଥିଲା। କାର୍ କୁ ଯାଞ୍ଚ କରିବା ବେଳେ ପୁଲିସ କାରରୁ ୫ ବସ୍ତାରେ ଭର୍ତ୍ତି ପ୍ରାୟ ୯୦ କେଜି ଗଞ୍ଜେଇ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଚାଲାଣ ହେଉଥିଲା।