ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ

ଓଡ଼ିଶାରେ ଶୀତର ଲହରୀ ଜାରି ରହିଥିବା ବେଳେ ରାତିର ତାପମାତ୍ରା ମଧ୍ୟ ଆହୁରି ହ୍ରାସ ପାଇଛି।

ଟ୍ୱିନ ସିଟିରେ ତାପମାତ୍ରା ୧୫.୫ ଡିଗ୍ରୀ

ଭୁବନେଶ୍ବର, ୧୪/୧୨/୨୩: ସାରା ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ। ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ପ୍ରଭାବରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ କେତେକ ସ୍ଥାନରେ ରାତିର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଶୀତର ପ୍ରଭାବ ଡିସେମ୍ବର ୧୭ ତାରିଖ ଯାଏ ଲାଗି ରହିବ। ସେହିପରି ଓଡ଼ିଶାର ଅଧିକାଂଶ ସ୍ଥାନରେ ସକାଳୁ ଘନ କୁହୁଡ଼ି ଅନୁଭୂତ ହେବ।

ମାଲକାନଗିରି ଜିଲ୍ଲାର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କିରେଇ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, କେନ୍ଦୁଝରରେ ୧୦.୨ ଡିଗ୍ରୀ ଓ କୋରାପୁଟରେ ୧୦.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୧୦.୬ ଡିଗ୍ରୀ ଓ ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ କରାଯାଇଛି।