ଯୁବ କଂଗ୍ରେସର ଉପସଭାପତି ପଦରୁ ଇସ୍ତଫା ଦେଲେ ସାଗର

ଯୁବ କଂଗ୍ରେସର ଉପସଭାପତି ପଦରୁ ସାଗର ଚରଣ ଦାସ ଇସ୍ତଫା ଦେଇଛନ୍ତି।

ତାଙ୍କ ପ୍ରତି ଅନ୍ୟାୟ ଦର୍ଶାଇ ଦେଲେ ଇସ୍ତଫା

ଭୁବନେଶ୍ୱର, ୧୮/୧୨/୨୩: ଓଡ଼ିଶା ଯୁବ କଂଗ୍ରେସର ଉପସଭାପତି ଭାବେ ନିଯୁକ୍ତ ହେବାର ମାତ୍ର ୩ ଦିନ ପରେ ସାଗର ଚରଣ ଦାସ ତାଙ୍କ ପ୍ରତି ଅନ୍ୟାୟ ଦର୍ଶାଇ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଶ୍ରୀ ଦାସ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

କୌଣସି ରାଜନୈତିକ ଆକଳନ ନକରି ଭାରତୀୟ ଯୁବ କଂଗ୍ରେସ ଅନୁସୂଚିତ ଜାତି ସମ୍ପ୍ରଦାୟର ଯୁବ ନେତାଙ୍କୁ ଅବହେଳା କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ନିଷ୍ପତ୍ତି ଘୋଷଣା କରିଛି। ମୁଁ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି ବୋଲି ଶ୍ରୀ ଦାସ ଆଇୱାଇସି ସଭାପତିଙ୍କ ଉଦ୍ଦେଶ୍ୟରେ ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଯୁବ କଂଗ୍ରେସର ସଦସ୍ୟ ଭାବେ ସେ ଦଳ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରଞ୍ଜିତ ପାତ୍ରଙ୍କୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ଉପସଭାପତି କରାଯାଇଥିଲା।