କେନ୍ଦୁଝରରେ ୧ କୋଟି ଟଙ୍କାର ହେରୋଇନ ଜବତ

କେନ୍ଦୁଝର ଜିଲ୍ଲାରେ ଜଣେ ନିଶା ବେପାରୀ ଠାରୁ କୋଟିଏରୁ ଅଧିକ ଟଙ୍କାର ହେରୋଇନ୍ ଜବତ କରିଛି ଏସଟିଏଫ।

ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

କେନ୍ଦୁଝର,୧୯/୧୨/୨୩: କେନ୍ଦୁଝର ଜିଲ୍ଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଚଢ଼ଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିବା ସହ ତା’ ନିକଟରୁ କୋଟିଏରୁ ଅଧିକ ଟଙ୍କାର ହେରୋଇନ୍ ଜବତ କରିଛି। ଅଭିଯୁକ୍ତ ରାଜେନ୍ଦ୍ର କୁମାର ମାଝୀ (୪୬) କେନ୍ଦୁଝର ଟାଉନ ଥାନା ବୈଦ୍ୟରାଜ ସାହିର ବାସିନ୍ଦା।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଏସଟିଏଫର ଏକ ଟିମ୍ ଯୋଡ଼ାଘାଟି ନିକଟ ୪୯ ନମ୍ବର ଜାତୀୟ ରାଜପଥର ଏକ ନିଛାଟିଆ ସ୍ଥାନରେ ଚଢ଼ାଉ କରି ଗ୍ରାହକଙ୍କୁ ନିଶା ଦ୍ରବ୍ୟ ହସ୍ତାନ୍ତର କରିବାକୁ ଅପେକ୍ଷା କରିଥିବା ଅଭିଯୁକ୍ତକୁ ଗିରଫ କରିଛି।

ଚଢ଼ାଉ ବେଳେ ତାଙ୍କ ନିକଟରୁ ୧ କୋଟିରୁ ଅଧିକ ଟଙ୍କାର ୧.୦୮୦ କେଜି ଓଜନର ବ୍ରାଉନସୁଗାର (ହେରୋଇନ୍) ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏତେ ପରିମାଣର ବେଆଇନ ନିଶା ଦ୍ରବ୍ୟ ରଖିବା ସପକ୍ଷରେ ଅଭିଯୁକ୍ତ କୌଣସି ବୈଧ ପ୍ରମାଣ ଦେଖାଇ ପାରିନଥିଲେ, ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏ ସଂକ୍ରାନ୍ତରେ ରାଜେନ୍ଦ୍ରଙ୍କ ବିରୋଧରେ ଏନଡିପିଏସ୍ ଆଇନ ୧୯୮୫ର ଧାରା ୨୧(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।