ପୁଣି ଫେରିଲା କରୋନା: ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

କରୋନାର ନୂଆ ଭାରିଆଣ୍ଟ ଦେଶରେ ଚିହ୍ନଟ ହେବା ପରେ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଆବଶ୍ୟକ ପଡିଲେ ଗାଇଡଲାଇନ ଜାରି ହେବ

ଭୁବନେଶ୍ୱର, ୧୯/୧୨/୨୩: ଦେଶରେ ପୁଣି ଫେରିଛି କରୋନା। କେରଳ ଓ କର୍ଣ୍ଣାଟକରେ ଓମିକ୍ରୋନର ସବ୍ ଭାରିଆଣ୍ଟ ଜେଏନ୍.୧ର ସଂକ୍ରମଣ ଦେଖାଦେଇଛି। ଏହି ଦୁଇ ରାଜ୍ୟରେ କରୋନା ପଜିଟିଭ ଦେଖା ଯିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, ଓମିକ୍ରୋନର ସବ୍ ଭାରିଆଣ୍ଟ ଜେଏନ୍.୧ ଉପରେ ଓଡ଼ିଶା ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ଗାଇଡଲାଇନ୍ ଜାରି କରିପାରନ୍ତି। ଏପର୍ଯ୍ୟନ୍ତ ଓଡ଼ିଶାରେ ଜେଏନ୍.୧ ଚିହ୍ନଟ ହୋଇନାହିଁ। ଯଦି ଏହା ଚିହ୍ନଟ ହୁଏ, ତେବେ ଗାଇଡଲାଇନ ନିଶ୍ଚୟ ଜାରି କରାଯିବ।

କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଆମେ ରାଜ୍ୟରେ ଲକ୍ଷଣ ଯୁକ୍ତ ରୋଗୀଙ୍କ ଉପରେ ନଜର ରଖିବୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ଓ ବ୍ୟବସ୍ଥା ରହିଛି। ଯେଉଁମାନେ କୌଣସି ଲକ୍ଷଣ ଦେଖନ୍ତି ସେମାନେ ତୁରନ୍ତ କୋଭିଡ୍ ପରୀକ୍ଷା କରାଇବା ଉଚିତ। ଉଲ୍ଲେଖଯୋଗ୍ୟ ଯେ କିଛି ରାଜ୍ୟରେ କୋଭିଡ୍ ମାମଲା ଚିହ୍ନଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଏକ ଆଡଭାଇଜରି ଜାରି କରିଥିଲା।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କରୋନା ପାଇଁ ସତର୍କବାଣୀ ଜାରି କରି ପରାମର୍ଶ କରିଛି। ଥଣ୍ଡା, ଜ୍ୱର ହେଲେ ବାହାରକୁ ଯାଆନ୍ତୁ ନାହିଁ। ଲକ୍ଷଣ ଥିଲେ ପିକନିକ୍ ଯାଆନ୍ତୁ ନାହିଁ। ଥଣ୍ଡା, କାଶ ରୋଗୀ କୋଭିଡ ନିୟମ ପାଳନ କରନ୍ତୁ। ଆବଶ୍ୟକ ପଡିଲେ ରାଜ୍ୟ ଗାଇଡଲାଇନ ଜାରି କରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।