ଓଡ଼ିଶାର ନୂଆ ଜିଲ୍ଲା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

ଓଡ଼ିଶାର ପଦ୍ମପୁରକୁ ନୂଆ ଜିଲ୍ଲା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ।

ସରକାରଙ୍କ ପଦ୍ମପୁର ଯୋଜନାକୁ ଝଟକା

ଭୁବନେଶ୍ୱର,୨୨/୧୨/୨୩: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାରେ ପରିଣତ କରିବା ପାଇଁ ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ବିନା ଅନୁମତିରେ ପଦ୍ମପୁରକୁ ନୂଆ ଜିଲ୍ଲା ଗଠନ ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇବା ପରେ ରାଜ୍ୟ ସରକାରଙ୍କୁ ଝଟକା ଲାଗିଛି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଆର୍ ଷଡ଼ଙ୍ଗୀ ଓ ଜଷ୍ଟିସ୍ ମୁରହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଜିଲ୍ଲା ପୁନର୍ଗଠନ କରିବାକୁ ଚାହୁଁଛନ୍ତି ତାହା ଜାରି ରହିପାରେ, କିନ୍ତୁ ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର କୌଣସି ଚୂଡ଼ାନ୍ତ ଆଦେଶ ଦେଇପାରିବେ ନାହିଁ। ଏଥିସହିତ କୌଣସି ଗାଇଡଲାଇନ କିମ୍ବା ସିଦ୍ଧାନ୍ତ ନଥାଇ ଏବଂ ସରକାରଙ୍କ ଇଚ୍ଛାରେ ନୂଆ ଜିଲ୍ଲା ସୃଷ୍ଟି କରାଯାଉଛି ବୋଲି କୁହାଯାଇଛି।

ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଡିକେ ମହାନ୍ତିଙ୍କ ସହ ହାଜର ହୋଇଥିବା ଆଡଭୋକେଟ ଜେନେରାଲ ଏ କେ ପରିଜା ଏହି ମାମଲାରେ ନିର୍ଦ୍ଦେଶ ପାଇବା ପାଇଁ କିଛି ସମୟ ମାଗିଛନ୍ତି।

ଗତ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ପଦ୍ମପୁରକୁ ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ମିଳିବ।