ଧର୍ମେନ୍ଦ୍ରଙ୍କୁ ଟ୍ୟାଗ କରି ମାନସଙ୍କ ଟ୍ୱିଟ: ଜଗନ୍ନାଥଙ୍କୁ ନେଇ ଫେକ ନ୍ୟୁଜ କରିଛି ବିଜେପି

କାମିୟା ଜାନି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ଘଟଣାରେ ବିଜେଡି ବିଜେପି କଂଗ୍ରେସ ପରସ୍ପରକୁ ଟାର୍ଗେଟ କରିଛନ୍ତି।

ବିଜେଡି, ବିଜେପିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର, ୨୩/୧୨/୨୩: ଶ୍ରୀମନ୍ଦିର ଭିତରକୁ କାମିୟା ଜାନିଙ୍କ ପ୍ରବେଶକୁ ଗତ କିଛି ଦିନ ଧରି ଲାଗି ରହିଛି ରାଜନୀତି। ବିଜେପି ବିଜେଡିକୁ ବାରମ୍ବାର ଏ ସଂକ୍ରାନ୍ତରେ ଟାର୍ଗେଟ କରି ଗଣମାଧ୍ୟମ ସାମନାରେ ଶାସକ ଦଳକୁ ଟାର୍ଗେଟ କରିଛି ବିରୋଧୀ ଦଳ। ତେବେ ଏହାରି ଭିତରେ ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବାବଦରେ ଗଣମାଧ୍ୟମରେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, “ଆମ ସମସ୍ତ ଓଡ଼ିଆ ଏବଂ ସନାତନୀ ହିନ୍ଦୁଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନଭାବନାକୁ ଆଘାତ ଦେବା ଭଳି କେହି କିଛି କରିବା ଅନୁଚିତ୍ । ଜାଣତରେ ହେଉ କିମ୍ବା ଅଜାଣତରେ କେହି କେବେ ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ନ ଖେଳିଲେ ଭଲ।”

ଏବେ ଏହାକୁ ନେଇ ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାଇ , ‘ଆପଣ ଡେରିରେ ହେଉ ପଛେ ଠିକ କଥା କହିଛନ୍ତି। ମହାପ୍ରଭୁ ଜଗନ୍ନାଥ ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର। ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ବିଜେପି ଖେଳିଛି। ଜଗନ୍ନାଥଙ୍କୁ ନେଇ ଫେକ୍ ନ୍ୟୁଜ୍ କରିଛି ରାଜ୍ୟ ବିଜେପି। ଫେକ୍ ନ୍ୟୁଜ୍ କରିଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଶା କରୁଛି। କାମିଆଙ୍କୁ କେନ୍ଦ୍ର ସରକାର ହିନ୍ଦୁ ମନ୍ଦିରର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ। ଜଗନ୍ନାଥ ମନ୍ଦିର ବେଳକୁ ଫେକ୍ ନ୍ୟୁଜ୍ ଦ୍ୱାରା ରାଜ୍ୟ ବିଜେପି ବିବାଦ ସୃଷ୍ଟି କରୁଛି। କାମିଆ ଜାନି ଯଦି ରାମ ମନ୍ଦିରର ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଆପଣଙ୍କ ଦଳର କିଛି ନେତା ଓଡିଶା ଓ ଶ୍ରୀକ୍ଷେତ୍ରକୁ ବଦନାମ କରିବାର ଅପଚେଷ୍ଟା କରିଛନ୍ତି। ଦୁଇ ତିନି ଦିନ ଧରି ସେମାନଙ୍କର ଅପଚେଷ୍ଟାକୁ ସଭିଏଁ ଦେଖିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।”

ଅନ୍ୟପକ୍ଷରେ ଶାସକ ଦଳକୁ ଘେରିଛି ରାଜ୍ୟ ବିଜେପି। ସତ ଲୁଚାଇବାକୁ ଚେଷ୍ଟା କରୁଛି ବିଜେଡ଼ି , ୪ ଧାମ ଆଉ ଜଗନ୍ନାଥଙ୍କ କଥା ଅଲଗା। କାମିୟା ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ। ଗୋ ମାଂସ ପ୍ରଚାରକାରୀକୁ ଶ୍ରୀମନ୍ଦିରରେ ପ୍ରବେଶ ମହାପାପ। ସରକାରୀ ପ୍ରୋଟୋକଲରେ କେମିତି କାମିୟାଙ୍କୁ ପ୍ରବେଶ କରାଗଲା? ମହାପ୍ରସାଦକୁ ବ୍ୟବସାୟୀକରଣ ପ୍ରଚାର ଠିକ୍‌ ନୁହେଁ ବୋଲି ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି।

ସେହିପରି ବିଜେଡ଼ି ଓ ବିଜେପିକୁ କଂଗ୍ରେସ କରିଛି ସମାଲୋଚନା। କାମିୟା ଜାନିଙ୍କ ପ୍ରସଙ୍ଗରେ କଂଗ୍ରେସ ପ୍ରେସମିଟ୍ କରିଛି। କଂଗ୍ରେସ କହିଛି ମୋଦି ଓ ଶାହା ପ୍ରଚାର ପାଇଁ କାମିୟାଙ୍କୁ ବ୍ୟବହାର କରୁଛନ୍ତି। କାହା ନିର୍ଦ୍ଦେଶରେ ଶ୍ରୀମନ୍ଦିର ଯାଇଥିଲେ କାମିୟା ଜାନି ବୋଲି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।