୧୬ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା

କୋଚିଂ ସେଣ୍ଟର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି।

ଗ୍ରାଜୁଏଟରୁ କମ ଡିଗ୍ରୀଧାରୀଙ୍କୁ ଟ୍ୟୁଟର ବାରଣ

ନୂଆଦିଲ୍ଲୀ, ୧୮/୦୧/୨୦୨୪: ଦେଶରେ ଥିବା କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ସେଠାରେ ନାମ ଲେଖାଇପାରିବେ ନାହିଁ, ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେଇପାରିବେ ନାହିଁ ଏବଂ ରାଙ୍କ କିମ୍ବା ଭଲ ନମ୍ବରର ଗ୍ୟାରେଣ୍ଟି ଦେଇପାରିବେ ନାହିଁ।

ଗାଇଡଲାଇନ ଅନୁଯାୟୀ, କୌଣସି କୋଚିଂ ସେଣ୍ଟର ଗ୍ରାଜୁଏସନରୁ କମ୍ ଡିଗ୍ରୀ ଧାରୀ ବ୍ୟକ୍ତିଙ୍କୁ ଟ୍ୟୁଟରରେ ନିୟୋଜିତ କରାଯିବ ନାହିଁ। କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେଇପାରିବେ ନାହିଁ। ୧୬ ବର୍ଷରୁ ଅଧିକ ବୟସ ତଥା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ପରେ ହିଁ ଛାତ୍ରଛାତ୍ରୀଙ୍କ ନାମଲେଖା ହେବା ଦରକାର।

କୋଚିଂ ସେଣ୍ଟର ବାବଦରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଇ ପାରିବ ନାହିଁ। କୋଚିଂ ସେଣ୍ଟରଗୁଡ଼ିକରେ ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, କୋର୍ସ ସମାପ୍ତ ହେବାର ଅବଧି, ହଷ୍ଟେଲ ସୁବିଧା ଏବଂ ଆଦାୟ କରାଯାଉଥିବା ଫି’ର ଅପଡେଟ୍ ବିବରଣୀ ସହିତ ଏକ ୱେବସାଇଟ୍ ରହିବ।

ଛାତ୍ରଛାତ୍ରୀଙ୍କ ଉପରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଓ ଶୈକ୍ଷିକ ଚାପ ଯୋଗୁଁ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ପାଇଁ ପଦକ୍ଷେପ ନେବେ। ଛାତ୍ରଛାତ୍ରୀଙ୍କ କରିକୁଲାର ଉପରେ ପ୍ରାଧାନ୍ୟ ଦିଆଯିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ କାଉନସେଲିଂ ସୁବିଧା ପାଇଁ କୋଚିଂ ସେଣ୍ଟରରେ ତାଲିମପ୍ରାପ୍ତ ପରାମର୍ଶଦାତା ନିଯୁକ୍ତ କରାଯାଇପାରିବ। କୋଚିଂ ସେଣ୍ଟରଗୁଡ଼ିକ ଅଯଥା ଚାପ ସୃଷ୍ଟି କରୁଥିବା ଅତ୍ୟଧିକ ଫି’ ଆଦାୟ କିମ୍ବା ସେମାନଙ୍କ ପଞ୍ଜୀକରଣ ରଦ୍ଦ କରାଯାଉ। ଏହା ସହ ରାଜ୍ୟ ସରକାର କୋଚିଂ ସେଣ୍ଟରର କାର୍ଯ୍ୟକଳାପ ଉପରେ ନଜର ରଖିବେ।