କୋରାପୁଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ

ଆଜି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଛି।

ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୨୬/୦୧/୨୦୨୪: କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଛତିଶଗଡ଼ ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ଏକ ଏସୟୁଭି ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକ୍କା ଦେବା ପରେ ପଛପଟୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସାକୁ ଧକ୍କା ଦେବା ପରେ ଦ୍ୱିତୀୟ ବାଇକ୍ ସହ ଧକ୍କା ହୋଇଥିଲା।

ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଅଟୋ ଯାତ୍ରୀ ଓ ଜଣେ ମୋଟର ସାଇକେଲ ଚାଳକ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏଥିସହ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।