୧୨ ଡିଗ୍ରୀ ତଳେ ରାଜ୍ୟରେ ତାପମାତ୍ରା

ରାଜ୍ୟରେ କେତେକ ସ୍ଥାନରେ ରାତିର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ବେଳେ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

କିରେଇ ସବୁଠୁ ଥଣ୍ଡା ସ୍ଥାନ

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର କିରେଇ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବେ ୬.୭ ଡିଗ୍ରି ରେକର୍ଡ କରିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ୧୨ଟି ସ୍ଥାନରେ ସର୍ବନିମ୍ନ (ରାତି) ତାପମାତ୍ରା ୧୨ ଡିଗ୍ରି ତଳେ ରହିଛି। ସୁନ୍ଦରଗଡ଼ରେ ୭.୪, ରାଉରକେଲାରେ ୮.୯, ଅନୁଗୁଳରେ ୯, ଝାରସୁଗୁଡ଼ାରେ ୯.୪ ଏବଂ ଉଭୟ କେନ୍ଦୁଝର ଓ କୋରାପୁଟରେ ୧୦ ଡିଗ୍ରି ସେଲସିୟସ୍ ତାପମାତ୍ରା ରହିଛି।

ରାଜଧାନୀ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୪.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଓ ଶୁଖିଲା ପବନ ପ୍ରବାହିତ ହେଉଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହା ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଏବଂ ଉତ୍ତର ଉପକୂଳ ଓଡ଼ିଶାର କେତୋଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।