ଅନ୍ତରୀଣ ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

ଆଗକୁ ନିର୍ବାଚନ ଆସୁଥିବାରୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କାମଚଳା ବଜେଟ ଉପସ୍ଥାପନ କରାଯାଇଛି। ସରକାର ଗରିବ, ମହିଳା, ଯୁବକ ଓ କୃଷକମାନଙ୍କ ଉନ୍ନତି ଉପରେ ଧ୍ୟାନ ରଖି ବଜେଟ ପ୍ରସ୍ତୁତ କରାଯାଇଛି।

ଗରିବ, ମହିଳା, ଯୁବକ, କୃଷକଙ୍କ ଉପରେ ନଜର

ନୂଆଦିଲ୍ଲୀ, ୦୧/୦୨/୨୦୨୪: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବଜେଟ୍ ୨୦୨୪ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ନିର୍ବାଚନ ଆସୁଥିବାରୁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଅନ୍ତରୀଣ ବଜେଟରେ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ବ୍ୟୟ ବରାଦ କରାଯାଇଛି, ଯାହା ଦ୍ୱାରା ସରକାରଙ୍କୁ ନିର୍ବାଚନୀ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିବ। ସାଧାରଣ ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ହିଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ।

ଅନ୍ତରୀଣ ବଜେଟ୍ ପୂର୍ବରୁ ଗତ କାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଉପରେ ଅଭିଭାଷଣ ରଖିଥିଲେ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମେ’ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପନ କରାଯାଉଛି। ସରକାର ଗରିବ, ମହିଳା, ଯୁବକ ଏବଂ କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହି ବଜେଟ୍ ଅତ୍ୟନ୍ତ ଲାଭପ୍ରଦ ହେବ।

ଉପସ୍ଥାପିତ ବଜେଟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରକାର ଦେଶର ଜିଡିପି, ପ୍ରଶାସନ, ବିକାଶ ଓ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି।

ସରକାର ୧୦ ବର୍ଷରେ ୨୫୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଛନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଇଛି। ଟିକସ ସଂସ୍କାରରେ ଟିକସ ଆଦାୟ ବୃଦ୍ଧି ପାଇଛି। ୨୦୨୪ ଆର୍ଥିକ ବର୍ଷରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରେ କୌଣସି ପରିବର୍ତ୍ତନ ନାହିଁ।

୨୦୪୭ ସୁଦ୍ଧା ଦେଶକୁ ‘ବିକଶିତ ରାଷ୍ଟ୍ର’ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ହେବାକୁ ଥିବା ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ତାହା ପୂରଣ ହୋଇ ପାରିବ।

ମଧ୍ୟବିତ୍ତ ବର୍ଗର ଯୋଗ୍ୟ ବର୍ଗଙ୍କୁ ସରକାର ନିଜସ୍ୱ ଘର ତିଆରି କରିବାରେ ସାହାଯ୍ୟ କରିବେ। ତେଣୁ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୨୦ ନିୟୁତ ସୁଲଭ ଘର ନିର୍ମାଣ କରିବେ। ଫସଲ ବୀମା ଯୋଜନାର ଲାଭ ୪୦ ନିୟୁତ କୃଷକଙ୍କ ପାଖରେ ପହଞ୍ଚିବ। ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା ୧ କୋଟି ମହିଳାଙ୍କୁ ‘ଲକ୍ଷପତି ଦିଦି’ ହେବାରେ ସକ୍ଷମ କରିବ ୨୦୨୪ ବଜେଟ୍।

ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗଭୀର ଜ୍ଞାନକୌଶଳକୁ ସୁଦୃଢ଼ କରିବା ପାଇଁ ସରକାର ଏକ ନୂଆ ଯୋଜନା ଆରମ୍ଭ କରିବେ। ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ପୁଞ୍ଜିନିବେଶ କରିବେ। କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏହାର ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଠାରୁ ସହାୟତା ମିଳିବ।