ରେଳ ବଜେଟରେ ଓଡ଼ିଶାକୁ ୧୦,୫୩୬ କୋଟିର ଅନୁଦାନ

ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଅନ୍ତରୀଣ ବଜେଟରେ ଓଡ଼ିଶାକୁ ରେଳକ୍ଷେତ୍ରରେ ୧୦,୫୩୬ କୋଟିର ବ୍ୟୟ ବରାଦ କରାଯାଇଛି।

ପୂର୍ବାପେକ୍ଷା ୫୨୪ କୋଟି ଟଙ୍କା ଅଧିକ

ନୂଆଦିଲ୍ଲୀ, ୦୧/୦୨/୨୦୨୪: କେନ୍ଦ୍ରର ଅନ୍ତରୀଣ ବଜେଟରେ ଓଡ଼ିଶାକୁ ରେଳବାଇ ପାଇଁ ମିଳିଛି ଅଧିକ ୫୨୪ କୋଟି ଟଙ୍କା। ଗୁରୁବାର ଘୋଷଣା ହୋଇଥିବା ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ ପାଇଁ ୧୦,୫୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକି ଗତ ବର୍ଷ ହୋଇଥିବା ଆବଣ୍ଟନ ତୁଳନାରେ ୫୨୪ କୋଟି ଟଙ୍କା ଅଧିକ। ଏ ନେଇ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ ହେବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଗତ ୩ ବର୍ଷ ଧରି ଓଡ଼ିଶା ରେଳବାଇ ପାଇଁ ବର୍ଷକୁ ହାରାହାରି ୧୦ ହଜାର କୋଟି ଟଙ୍କା ପାଉଛି। ୨୦୨୩-୨୪ ରେଳ ବଜେଟରେ ଓଡ଼ିଶାକୁ ୧୦,୦୧୨ କୋଟି ଟଙ୍କା ମିଳିଥିବା ବେଳେ ୨୦୨୨-୨୩ରେ ଆବଣ୍ଟନ ୯୭୩୪ କୋଟି ଟଙ୍କା ଥିଲା। ଏହି ଅନ୍ତରୀଣ ବଜେଟରେ ଓଡ଼ିଶା ପାଇଁ ରେଳ କ୍ଷେତ୍ରରେ ଆବଣ୍ଟନ ହୋଇଥିବା ଟଙ୍କା ଯଥେଷ୍ଟ ଅଧିକ। ଆଗାମୀ ଦିନରେ ରାଜ୍ୟରେ ନୂଆ ରେଳ ପ୍ରକଳ୍ପରେ ୫୨ ହଜାର କୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।