ନବୀନଙ୍କ ପଞ୍ଚମ ପାଳିର ଶେଷ ବଜେଟ ଅଧିବେଶନ

•ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଶଂସନୀୟ •୪୭,୦୦୦ ପ୍ରାର୍ଥୀଙ୍କୁ ମିଳିଛି ସରକାରୀ ନିଯୁକ୍ତି •ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ହିନ୍ଦୀରେ ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ବର, ୦୫/୦୨/୨୦୨୪: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ନବୀନଙ୍କ ପଞ୍ଚମ ପାଳିର ଶେଷ ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ହୋଇଥିବା ବେଳେ ରାଜ୍ୟପାଳ ରଘୁବର ଦାସ ଅଧିବେଶନ ଆରମ୍ଭରେ ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟପାଳ ହିନ୍ଦୀରେ ୧ ଘଣ୍ଟା ୫୫ ମିନିଟର ଅଭିଭାଷଣ ରଖିଛନ୍ତି। ଅଧିବେଶନ ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟ ଓ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଚଳିତ ବଜେଟ୍ ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିବ ଏବଂ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଫେବ୍ରୁଆରୀ ୮ତାରିଖରେ ୨୦୨୪-୨୪ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଅନ୍ୟପକ୍ଷରେ ଗତକାଲି ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ବାଚସ୍ପତି ପ୍ରମିଳା ମଲ୍ଲିକ ଏକ ସର୍ବଦଳୀୟ ବୈଠକ ଡାକିଥିଲେ।

ସଂକ୍ଷେପରେ ରାଜ୍ୟପାଳଙ୍କ ଅଭିଭାଷଣ:

•୮୦୦ କୋଟିରେ ନିର୍ମାଣ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ପ୍ରଶଂସନୀୟ। ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବ।
•ଲୋକଙ୍କୁ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଆରମ୍ଭ ହୋଇଛି।
•ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳରେ ସମଲେଇ ପ୍ରକଳ୍ପ ମଧ୍ୟ ଲୋକାର୍ପିତ ହୋଇଛି।
•୨୮୦ କୋଟିରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ବିକାଶ ହୋଇଛି।
•୫-ଟି ଓ ମୋ ସରକାର ଦ୍ୱାରା ହୋଇଛି ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ।
•ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ବିକାଶମୂଳକ ପଦକ୍ଷେପ। ନୂଆ-ଓ ଯୁବ ଭାଗୀଦାରୀଙ୍କୁ ସଶକ୍ତ କରିବ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଇଛି।
•ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହେବା ସହ ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି।
•ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଛି।
•ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଆ ଜାତି ପାଇଁ ଗର୍ବ। କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି।
•୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲ ରୂପାନ୍ତରଣ ହୋଇଛି।
•କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର। ୨୦୨୨-୨୩ରେ ରାଜ୍ୟରେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇଛି।
•୨୦୦୦-୦୧ରେ ୫୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ଯ ଉତ୍ପାଦନ ଥିବା ବେଳେ ୨୦୨୨-୨୩ରେ ୧୪୧.୩୬ ଲକ୍ଷ ମେଟ୍ରିକ ଟନ ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୨୨.୫% ଯୋଗଦାନ ରହିଛି।
•୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ରାଜ୍ୟରେ ଚାଉଳ ଉତ୍ପାଦନ ବଢିଛି।
•୧୧୩.୭୬ ରେସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି।
•ଅନ୍ତ୍ୟୋଦୟ ଯୋଜନାରେ ପ୍ରତି ପରିବାରକୁ ୩୫ କେଜି ଚାଉଳ ଦିଆଯାଇଛି।
•୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି।
•ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗମନାଗମନର ସୁବିଧା ଯୋଗାଇ ଦିଆଯାଇଛି। ୩୦ ଜିଲ୍ଲାର ୬୭୯୮ ପଞ୍ଚାୟତରେ ଲକ୍ଷ୍ମୀ ବସ ଗଡି଼ବ।
•ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ ଓ ମାତୃ ମୃତ୍ୟୁହାର ହ୍ରାସରେ ଓଡ଼ିଶା ଦ୍ୱିତୀୟ।
•ରାଜ୍ୟରେ ମାଓହିଂସା କମି ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି। ୨୧ ଜିଲ୍ଲାରୁ ୧୦ ଜିଲ୍ଲାକୁ ଖସିଛି ମାଓ ପ୍ରବଣ ଜିଲ୍ଲା। ମାଲକାନଗିରିର ୩୨ଶହ ମାଓବାଦୀ ଓ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଛନ୍ତି।
•ବରିଷ୍ଠ ତୀର୍ଥଯାତ୍ରୀ ପରିଯୋଜନା ପ୍ରକଳ୍ପରେ ଗରିବ ଲୋକଙ୍କୁ ତୀର୍ଥଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି।
•ପଶୁପାଳନ କ୍ଷେତ୍ରରେ ଏସଏଚଜିଙ୍କୁ ସାମିଲ କରାଯାଇଛି। ରାଜ୍ୟର ୩୧୪ ବ୍ଲକରେ ୩୧୪ ମୋବାଇଲ ପଶୁଚିକିତ୍ସା କେନ୍ଦ୍ର ସ୍ଥାପନା କରାଯାଇଛି।
•ରାଜ୍ୟର ୪୦% ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି।
•୨୦୧୪-୧୫ରୁ ଏଯାଏ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି। ସମୟ ଭିତରେ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି।
•୨୦୨୫ ସୁଦ୍ଧା ସବୁ ଗାଁକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଡ୍ରିମ୍ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ଦ୍ୱିତୀୟ ସହର ଭାବେ ମାନ୍ୟତା ପାଇଛି।
•୫୯% ଅଙ୍ଗନୱାଡି ଘରକୁ ପାନୀୟ ଜଳ ବ୍ୟବସ୍ଥା ମିଳିଛି।
•ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ନବୀନ ବିଏସକେୱାଇ କାର୍ଡ ଗରୀବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି। ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି।
•୭୫୦ କୋଟି ଟଙ୍କା ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି।
•ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି। ୨୦୨୪ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ବସ୍ତି ମୁକ୍ତ ସହର ବନାଇବା ଲକ୍ଷ୍ୟ ରଖାଯାଇଛି।
•ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏ ଋଣ ମିଳୁଛି।
•ଆନ୍ତଃଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତ୍ତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ମିଳୁଛି। ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି।
•୨୦୨୭ ଶେଷ ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ଶେଷ ହେବ। ୬୨୫୬ କୋଟି ଟଙ୍କା ବ୍ୟୟରେ ଏହି ମେଟ୍ରୋ ରେଳ ପ୍ରକଳ୍ପ ହେବ।
•୨୦୧୭-୧୮ରେ ବେକାରୀ ଅଭିବୃଦ୍ଧି ହାର ୭.୧% ଥିବା ବେଳେ ୨୦୧୯-୨୦ ବେକାରୀ ଅଭିବୃଦ୍ଧି ହାର ୬.୨% ରହିଛି।
•ବିଗତ ୫ ବର୍ଷରେ ମୋଟ ୪୬,୯୮୬ ପ୍ରାର୍ଥୀଙ୍କୁ ସରକାରୀ ନିଯୁକ୍ତି ମିଳିଛି। ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୧୫,୦୯୬ ନିଯୁକ୍ତି, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ୍ ଜରିଆରେ ୧୨,୯୮୮ ଏବଂ ଓଡ଼ିଶା ସବ୍ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ୍ ଜରିଆରେ ୧୮,୯୦୨ ନିଯୁକ୍ତି ମିଳିଛି।
•୨୦୨୧-୨୨ରେ ମୁଣ୍ଡ ପିଛା ଆୟ ୧.୨୯ ଲକ୍ଷ ଥିବା ବେଳେ ଆକଳନ ଅନୁଯାୟୀ ୨୦୨୨-୨୩ରେ ମୁଣ୍ଡ ପିଛା ଆୟ ୧.୫୧ ଲକ୍ଷ ରହିଛି।
•ଦେଶର ଅଗ୍ରଣୀ କ୍ରୀଡାସ୍ଥଳୀ ଭାବେ ଓଡ଼ିଶା ଆଗୁଆ। ୨୦୨୩ ରାଷ୍ଟ୍ରୀୟ କ୍ରୀଡାରେ ପଦକ ସଂଖ୍ୟା ବଢିଛି।