ବିଜେଡି ଓଡ଼ିଶାର ଏକ ନମ୍ବର ଦଳ: ନବୀନ

ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ।

ସଦସ୍ୟତା ନବୀକରଣ କଲେ ନବୀନ

ଭୁବନେଶ୍ବର, ୦୯/୧୦: ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ। ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଶୁଭାରମ୍ଭ ହୋଇଯାଇଛି। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଥମେ ଦଳୀୟ ସଦସ୍ୟତା ନବୀକରଣ କରିଛନ୍ତି। ଭୁବନେଶ୍ବରର ଏକାମ୍ର ନିର୍ବାଚନମଣ୍ଡଳୀରୁ ସଦସ୍ୟତା ଗ୍ରହଣ କରିଛନ୍ତି ନବୀନ। ନବୀନଙ୍କୁ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଦସ୍ୟତା କରାଇଛନ୍ତି।

ଏହି ଅବସରରେ ନବୀନ କହିଛନ୍ତି, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ। ଗୋପବନ୍ଧୁଙ୍କୁ ସମ୍ମାନ ଜଣାଇ ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେଲା। ସଦସ୍ୟତା ଅଭିଯାନ ଏକ ରାଜନୈତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଏହା ଦଳକୁ ମଜବୁତ କରିଥାଏ। ଦଳର ସମସ୍ତ କର୍ମୀ ପ୍ରତି ଘରକୁ ଯାଆନ୍ତୁ ଓ ଦଳର କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କଠାରୁ ମତାମତ ଆଣନ୍ତୁ ଓ ଦଳରେ ସାମିଲ କରାନ୍ତୁ। ବିଦେଶରେ ଓ ଓଡ଼ିଶା ବାହାରେ ରହୁଥିବା ଲୋକଙ୍କୁ ମଧ୍ୟ ବିଜେଡିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରୁଛି। କିଛି ଦଳ ମିସଡ କଲ୍ କରି ସଦସ୍ୟତା ଅଭିଯାନ କରୁଛନ୍ତି। ମିସଡ କଲ୍ ଡାଏରୀ ହେଉଛି ସେମାନଙ୍କ ରେଜିଷ୍ଟର। ବିଜୁ ଜନତା ଦଳ ସେସବୁ ଠାରୁ ବହୁ ଦୂରରେ ଅଛି। ସେବା, ସ୍ୱାଭିମାନ ଓ ସଂଗ୍ରାମ ହେଉଛି ବିଜୁ ଜନତା ଦଳର ଆଦର୍ଶ। ଓଡିଶାବାସୀଙ୍କ ସେବା ଓ ଓଡ଼ିଆ ଜାତିର ସ୍ୱାଭିମାନର ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ। ବିଜୁ ବାବୁ ଆମ ପାଇଁ ପ୍ରେରଣା। ବିଜେଡି ସରକାର ସମୟରେ ବହୁତ ଭଲ କାମ ହୋଇଛି। ଆମ ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ଭାରତ ସରକାର ମଧ୍ୟ ଆମର ଅନେକ ଯୋଜନା ଅନୁକରଣ କରିଛନ୍ତି। ଭୋଟ ବ୍ୟାଙ୍କ ସଂଗ୍ରହ କରିବା ଆମର ଲକ୍ଷ୍ୟ ନଥିଲା। ରାଜ୍ୟର ବିକାଶ ଓ କଲ୍ୟାଣ ହେଉଛି ଆମର ଫୋକସ୍। ଆମ ସରକାର ଆରମ୍ଭ କରିଥିବା ବିକାଶ କଲ୍ଯାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ବିଜେଡି ଓଡ଼ିଶାର ଏକ ନମ୍ବର ଦଳ। ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଅଧିକ ଭୋଟ ମିଳିଛି। ଆମର ଭୋଟ ପ୍ରତିଶତ ହାର ମଧ୍ୟ ଅଧିକ। ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି। ଓଡ଼ିଶାର ଗୌରବ ପାଇଁ ବିଜେଡି ସମର୍ପିତ ଭାବେ କାମ କରୁଛି। ସମସ୍ତେ ଗର୍ବର ସହ ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମାଆର ସେବକ କହିବା ବୋଲି ନବୀନ ଆହ୍ୱାନ ଦେଇଛନ୍ତି।

ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ। ଭିଡ଼ିଓ କନଫରେନ୍ସିଂ ଯୋଗେ ସାରା ରାଜ୍ୟର ତେତିଶଟି ସାଂଗଠନିକ ଜିଲ୍ଲାର ହକାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ, ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ।

ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ତା’ପରେ ନୂଆ ସଦସ୍ୟଙ୍କୁ ଦଳରେ ସାମିଲ କରାଯିବ। ଆଜିଠୁ ଆସନ୍ତା ଦୁଇ ମାସ ଯାଏଁ ସମଗ୍ର ରାଜ୍ୟରେ ସଦସ୍ୟତା ଅଭିଯାନ ଚାଲିବ। ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ଅଭିଯାନ ଚାଲିଛି। ଗତଥର ଦଳ ୧୦ ଲକ୍ଷରୁ ଅଧିକ ସଦସ୍ୟ ସଂଗ୍ରହ କରିଥିଲା।