ଶ୍ରେଷ୍ଠ ରଣନୀତିକାର ଧର୍ମେନ୍ଦ୍ର

ହରିୟାଣାରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି।

ହରିୟାଣାରେ ବିଜେପିର ବାଜିମାତ୍

ନୂଆଦିଲ୍ଲୀ, ୦୮/୧୦: ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ୍ କରି ନେଇଛି ବିଜେପି। ହରିୟାଣା ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ବିଜୟ ହାସଲ କରି ଭାରତୀୟ ଜନତା ପାର୍ଟି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ରାଜ୍ୟରେ ଦକ୍ଷ ପ୍ରାର୍ଥୀ ଚୟନ ଓ ସଠିକ୍ ରଣନୀତି ଯୋଗୁଁ ହାଟ୍ରିକ ମାରିଛି ବିଜେପି। ବିଜେପି ହରିୟାଣା ନିର୍ବାଚନ ଜିତିବା ପଛରେ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ସଠିକ୍ ରଣନୀତିକାର। ଏକଜିଟ୍ ପୋଲର ଆକଳନ ସହ ରାଜନୈତିକ ବିଶେଷଜ୍ଞଙ୍କ ଆକଳନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ବିଜେପିର ବିଜୟ ହାସଲ ପଛରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହରିୟାଣାର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହେବା ମାତ୍ରେ ଧର୍ମେନ୍ଦ୍ର ପ୍ରଧାନ ରୋହତକ, କୁରୁକ୍ଷେତ୍ର ଏବଂ ପଞ୍ଚକୁଲାରେ ନିଜର କ୍ୟାମ୍ପ ସ୍ଥାପନ କରିଥିଲେ। ହେଲିକପ୍ଟର ଯୋଗେ ବିଶାଳ ସମାବେଶ କରିବା ପରିବର୍ତ୍ତେ କାର୍ ଯୋଗେ ସାରା ରାଜ୍ୟ ଭ୍ରମଣ କରି ଛୋଟ ଛୋଟ ସଭା ଆୟୋଜନ କରିଥିଲେ। ସେ କର୍ମୀମାନଙ୍କୁ ଭେଟି ସାଧାରଣ ଜନତାଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ପରାମର୍ଶ ଦେଉଥିବା ସହିତ ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିଥିଲେ।

ଦଳ ଅନେକ ବରିଷ୍ଠ ନେତାଙ୍କ ସ୍ଥାନରେ ନୂତନ ଏବଂ ଅଧିକ ଗ୍ରହଣୀୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଥମେ କିଛି ବରିଷ୍ଠ ନେତାଙ୍କୁ ଟିକେଟ ଦିଆଯାଇଥିଲା। କିନ୍ତୁ ପରେ ଟିକେଟ କାଟି ନୂଆ, ଜନତାଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ଚେହେରାଙ୍କୁ ଆଣିଥିଲା ଦଳ। ଏ ସବୁଥିରେ ମୁଖ୍ଯ ସୂତ୍ରଧର ଥିଲେ ଧର୍ମେନ୍ଦ୍ର। କେଉଁଠି କେଉଁ ପ୍ରଚାରକ ପ୍ରଚାର କରିବେ ଓ କାହାକୁ ପ୍ରଚାରକ ତାଲିକାରୁ ବାଦ ଦିଆଯିବ ସେ ନେଇ ନିଷ୍ପତ୍ତି ନେଉଥିଲେ ଧର୍ମେନ୍ଦ୍ର। ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଲକ୍ଷ କରି ଜାଣିଶୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ପ୍ରଚାରରୁ ଦୂରେଇ ରଖିଥିଲେ। ଏହା ବଦଳରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କୁ ପ୍ରଚାରର ସବୁଠାରୁ ପ୍ରମୁଖ ଚେହେରା ଭାବେ ରଖିବାକୁ ପସନ୍ଦ କରିଥିଲେ।

ଦଳରେ ଏକତାକୁ ଗୁରୁତ୍ୱ ଦେଉଥିଲେ ଧର୍ମେନ୍ଦ୍ର। ଅସନ୍ତୁଷ୍ଟ ଦଳୀୟ ସଦସ୍ୟଙ୍କ ସହ ମଧ୍ୟ ସମନ୍ୱୟ ରକ୍ଷା କରିବା ସହ ଅନ୍ୟ ଦଳର ଶକ୍ତିଶାଳୀ କର୍ମୀଙ୍କୁ ମଧ୍ୟ ଆକୃଷ୍ଟ କରିବାକୁ ସେ ପ୍ରାଥମିକତା ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହୋଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଉଥିଲେ ଧର୍ମେନ୍ଦ୍ର। ସ୍ଥାନୀୟ ଭୋଟରଙ୍କ ମନରେ ଦଳ ପ୍ରତି ବିଶ୍ୱାସ ଜନ୍ମାଇବାକୁ ଅନବରତ ଉଦ୍ୟମ କରିବା ସହ ନିର୍ବାଚନ ପରିଚାଳନା ଦାୟିତ୍ୱ ସଠିକ୍ ଭାବେ ତୁଲାଇଥିଲେ। କ୍ୟାମ୍ପେନିଂକୁ ଓହ୍ଲାଇବା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଥିଲେ ଧର୍ମେନ୍ଦ୍ର। ସାଧାରଣ ଜନତାଙ୍କୁ ମନଗଢ଼ା ଭାଷଣ ପରିବର୍ତ୍ତେ ଯୁବଗୋଷ୍ଠୀ ଓ କୃଷକଙ୍କୁ ଆକୃଷ୍ଟ କରିବା ଭଳି ଟାର୍ଗେଟ ଭିତ୍ତିକ ଅଭିଭାଷଣ ରଖୁଥିଲେ।

ସେହିପରି ଦଳ ଜିତିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ବୋଲି ବରିଷ୍ଠ ନେତା ତଥା ଅମ୍ବାଲା କ୍ୟାଣ୍ଟ ଆସନରୁ ବିଜେପି ପ୍ରାର୍ଥୀ ଅନିଲ୍ ବିଜ୍ ଘୋଷଣା କରିବା ପରେ ଶ୍ରୀ ପ୍ରଧାନ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ ଏବଂ ନାୟବ ସିଂହ ସାଇନିଙ୍କୁ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରାର୍ଥୀ ହେବେ ବୋଲି କହିଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଓଡ଼ିଶାରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ସରକାର ଗଢ଼ିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁ ଦାୟିତ୍ୱ ଥିଲା। ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରସ୍ତୁତ ଦାୟିତ୍ୱରେ ଥିବା ଟିମର ନେତୃତ୍ୱ ନେଇଥିଲେ ଧର୍ମେନ୍ଦ୍ର। ଓଡ଼ିଶାରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧାର୍ଯ୍ୟ କରିଥିଲେ। ଆଇଏଏସ୍ ଅଫିସରରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନଙ୍କୁ ‘ବାହାର ଲୋକ’ ଭାବେ ସମାଲୋଚନା କରିବା ଏବଂ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ରତ୍ନ ଭଣ୍ଡାରର ଚାବି ହଜିବା ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ଏହି ଯୁକ୍ତିକୁ ସାଧାରଣ ଜନତା ମଧ୍ୟ ଗ୍ରହଣ କରିଥିଲେ। ଯାହା ପରେ ନିର୍ବାଚନରେ ବିଜୟ ହାସଲ କରି ଓଡ଼ିଶାରେ ଇତିହାସ ରଖିଥିଲା ବିଜେପି।