ଜମ୍ମୁ-କଶ୍ମୀର ନିର୍ବାଚନ ଫଳାଫଳ: ଏନସି ଆଗୁଆ

‘ଓମାର ଅବଦୁଲ୍ଲା ଜମ୍ମୁ-କାଶ୍ମୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ’

ନୂଆଦିଲ୍ଲୀ, ୦୮/୧୦: ବହୁ ପ୍ରତୀକ୍ଷିତ ୨୦୨୪ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୮ରେ ପ୍ରକାଶ ପାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଇଥିବା ବେଳେ ଏହା ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରୁ ଭୋଟ୍ ଗଣତି କରାଯାଇଥିଲା।

ଭୋଟ ଗଣତି ପରେ ଭାରତୀୟ ନିର୍ବାଚନ ଆୟୋଗ ଏନସି ମେଣ୍ଟକୁ ବିଜୟ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ବିଜୟ ହାସଲ କରିଥିବା ବେଳେ ଏନସି ସୁପ୍ରିମୋ ଫାରୁକ୍ ଅବଦୁଲ୍ଲା ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି। ଓମାର ଅବଦୁଲ୍ଲା ବଡଗାମରୁ ବିଜୟ ହାସଲ କରିଛନ୍ତି।

ଫାରୁକ୍ ଅବଦୁଲ୍ଲା କହିଛନ୍ତି, ୧୦ ବର୍ଷ ପରେ ଜନତା ଆମକୁ ଜନାଦେଶ ଦେଇଛନ୍ତି। ଏଠାରେ ‘ପୁଲିସ ରାଜ’ ନୁହେଁ ବରଂ ଏଠାରେ ‘ଲୋକଙ୍କ ରାଜ’ ହେବ। ଜେଲରେ ଥିବା ନିରୀହ ଲୋକଙ୍କୁ ବାହାରକୁ ଆଣିବାକୁ ଆମେ ଚେଷ୍ଟା କରିବୁ। ଆମକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ।

୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ ଥିଲା। ୨୦୧୪ ପରେ ଜମ୍ମୁ-କଶ୍ମୀରରେ ୧୦ ବର୍ଷ ମଧ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା। ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ରେ ୯୦ଟି ବିଧାନସଭା ଆସନରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ତିନୋଟି ପର୍ଯ୍ୟାୟରେ ୬୩.୪୫ ପ୍ରତିଶତ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମତଦାନରେ ୬୧%, ଦ୍ବିତୀୟ ପର୍ଯ୍ୟାୟରେ ୫୭.୩% ଓ ତୃତୀୟ ପର୍ଯ୍ୟାୟରେ ୬୮.୭୨% ମତଦାନ ହୋଇଥିଲା।

ଏହି ନିର୍ବାଚନରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ବେଳେ ୯୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଂଗ୍ରେସ-ଏନ୍ ସି ମେଣ୍ଟ, ଭାରତୀୟ ଜନତା ପାର୍ଟି (ବିଜେପି), ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି), ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି) ଏବଂ ଅନେକ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।