‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ଆସ୍ଥା ଟ୍ରେନରେ ଅଯୋଧ୍ୟା ଯାତ୍ରା କରିଥିବା ରାମଭକ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • ସୁବିଧାରେ ଭକ୍ତମାନଙ୍କୁ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା ହୋଇଛି • ଆସ୍ଥା ଟ୍ରେନର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଅଛି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୨୦/୦୨/୨୦୨୪: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନରେ ପବିତ୍ର ଅଯୋଧ୍ୟାରେ ଭକ୍ତମାନଙ୍କୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରତ୍ୟକ୍ଷ ଦର୍ଶନ କରାଇବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟି ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଯାତ୍ରୀ ତଥା ରାମଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି । ସୁବିଧାରେ ଭକ୍ତମାନଙ୍କର ଦର୍ଶନ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ଆସ୍ଥା ଟ୍ରେନର ବ୍ୟବସ୍ଥା ହୋଇଛି । ଆଜି ୨୦ଟି ରେଳ ବଗି ବିଶିଷ୍ଟ ‘ସମ୍ବଲପୁର – ଦର୍ଶନ ନଗର ଆସ୍ଥା ସ୍ୱତନ୍ତ୍ର ଟ୍ରେନ’ ଓଡ଼ିଶାର ଅନେକ ରାମ ଭକ୍ତଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି ।

୨୦୪୭ ସୁଦ୍ଧା ଭାରତ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଶ୍ରରାମଙ୍କ ଆଶୀର୍ବାଦରେ ବିକଶିତ ଦେଶ ହେବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି । ଟ୍ରେନରେ ଅଯୋଧ୍ୟା ଯାତ୍ରା କରୁଥିବା ରାମଭକ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସ୍ଥା ଟ୍ରେନର ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।