ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ

ବାରବାଟୀ ଷ୍ଟାଡିୟମର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ବର, ୨୧/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବୁଧବାର କଟକର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମର ବିଭିନ୍ନ ଉନ୍ନତିକରଣ ପାଇଁ ସମୀକ୍ଷା କରିଥିଲେ। ବାରବାଟୀ କ୍ରିକେଟ ଷ୍ଟାଡିୟମକୁ ୬୦,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ କରିବା ପାଇଁ ଯୋଜନାର ସମୀକ୍ଷା କରିଥିଲେ। ଏହା ସହିତ ବାରବାଟୀ ଷ୍ଟାଡିୟମ ଅଞ୍ଚଳକୁ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ୟାମ୍ପସରେ ପରିଣତ କରିବା ସହ କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ କ୍ରୀଡା ବିଭାଗର ସର୍ବୋତ୍ତମ ସୁବିଧା ଉପଲବ୍ଧ ହେବ ସେ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ରାଜ୍ୟରେ କ୍ରିକେଟର ବିକାଶ ନେଇ ଆଲୋଚନା କରିଥିଲେ।

ସମୀକ୍ଷା ପରେ ପାଣ୍ଡିଆନ ପ୍ରଶିକ୍ଷକ ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ୫-ଟି ଅଧୀନରେ କ୍ରିକେଟକୁ ପ୍ରାଥମିକତା ଦିଆଯିବ ଏବଂ ସାରା ରାଜ୍ୟରେ ଗୁଣାତ୍ମକ ପ୍ରଶିକ୍ଷଣ ସହ କ୍ରିକେଟ୍ ପ୍ରଶିକ୍ଷଣ କେନ୍ଦ୍ରର ବିକାଶ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ମହିଳା କ୍ରିକେଟ୍ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ହେବ ବୋଲି ପାଣ୍ଡିଆନ କହିଥିଲେ।

ବାରବାଟୀ ଷ୍ଟାଡିୟମରେ ଆଲୋଚନା ବେଳେ କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।