ପ୍ରତ୍ୟାହାର ହେବ ଜନଜାତିଙ୍କ ଉପରେ ଥିବା ମକଦ୍ଦମା

ଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮୦୧୮ ମାମଲା

ଭୁବନେଶ୍ବର, ୨୧/୦୨/୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଭାଇ ଭଉଣୀ ମାନଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ଗୁଡିକ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମାଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଏହି ମାମଲାଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବ।