୫ଟି ଜିଲ୍ଲାରେ ପରିଚାଳିତ ହେବ ମୋଟ ୩୦୫ଟି ବସ

୭୩ ଲକ୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କୁ ସଂଯୋଗ କରିଥିବା ୧୦୫୭ଟି ଗ୍ରାମ ପଞ୍ଚାୟତକୁ ଉପଲବ୍ଧ ହୋଇଛି ସାର୍ବଜନୀନ ପରିବହନ ସେବା। ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ କରାଯାଇଛି। ପର୍ଯ୍ୟଟନ ଓ ପରିବହନକୁ ବିକଶିତ କରାଯାଇଛି ଏବଂ ସ୍ଥାନୀୟ ରୋଜଗାର ସୃଷ୍ଟି ହୋଇଛି।

ବାଲେଶ୍ୱର, ନୂଆପଡା, ବୌଦ୍ଧ, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧ ଫେବୃଆରୀ ୨୦୨୪: ଓଡିଶା ସରକାରଙ୍କ ଲୋକେସନ ଆକ୍ସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ୍ (LAccMI) ବର୍ତ୍ତମାନ ମୋଟ ୩୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିସାରିଛି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ୫ଟି ଜିଲ୍ଲାରେ ଏହି ବସର ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ଯାହା ଦ୍ୱାରା ୭୩ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହୋଇ ପାରିବେ। ମୋଟ ୧୦୫୭ଟି ଗ୍ରାମ ପଂଚାୟତରେ ଗଡ଼ିବ ୩୦୫ଟି ଲକ୍ଷ୍ମୀ ବସ।

ଏହି ବସ୍ ସେବା ଲୋକମାନଙ୍କୁ ଲୋକଙ୍କ ସହିତ ସଂଯୋଗ କରିବ। ଏହା ସାମାଜିକ ଏବଂ ଅର୍ଥନୈତିକ ଜୀବନକୁ ମଜବୁତ କରିବ। ଏହା ପିଲାମାନଙ୍କୁ ସ୍କୁଲ ଏବଂ କଲେଜକୁ ନେଇଯିବ। ଏହା କୃଷକମାନଙ୍କୁ ବଜାର ସହିତ ସଂଯୋଗ କରିବ। ମା’ ଏବଂ ଛାତ୍ରଛାତ୍ରୀମାନେ ଏହି ବସରେ କେବଳ ୫ ଟଙ୍କା ଦେଇ ଯାତ୍ରା କରିପାରିବେ।

ବାଲେଶ୍ୱର ଜିଲ୍ଲାରେ ପରିବହନ, ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ପ୍ରଗତି ଆଣିବା ପାଇଁ ଲକ୍ଷ୍ମୀ ବସ ଯୋଜନାର ଆରମ୍ଭ ହୋଇସାରିଛି। ସର୍ବମୋଟ ୩୧୫ଟି ଗ୍ରାମ ପଂଚାୟତରେ ଥିବା ୨୦ ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ ୪୮ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୧୧ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି।

ନୂଆପଡା ଜିଲ୍ଲାରେ ୧୨୩ଟି ଗ୍ରାମ ପଂଚାୟତ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି। ବ୍ଲକ ସହିତ ସଂଯୋଗ କରିବା ପାଇଁ ସର୍ବମୋଟ ୨୬ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୫ଟି ଏସି ବସର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଏହି ଜିଲ୍ଲାର ୬ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହେବେ।

ସେହିପରି ବୌଦ୍ଧ ଜିଲ୍ଲାର ୫୫ଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଛି ଆମ ଲକ୍ଷ୍ମୀ ବସ। ବ୍ଲକ ସହିତ ସଂଯୋଗ କରିବା ପାଇଁ ୧୦ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୨ଟି ଏସି ବସର ଆରମ୍ଭ କରାଯାଇଛି। ଏହା ଦ୍ୱାରା ସିଧାସଳଖ ଭାବେ ପାଖାପାଖି ୪ଲକ୍ଷ ଲୋକ ଲକ୍ଷ୍ମୀ ବସର ସେବା ପାଇପାରିବେ।

ଏହି ପରିବର୍ତ୍ତନଶୀଳ ଲକ୍ଷ୍ମୀ ବସ ଗଂଜାମ ଜିଲ୍ଲାରେ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି। ସର୍ବମୋଟ ୪୩୩ଟି ଗ୍ରାମ ପଂଚାୟତରେ ଥିବା ୩୫ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ ୧୩୦ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୨୨ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି।

ଏହା ବ୍ୟତୀତ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସର ଐତିହାସିକ ଶୁଭାରମ୍ଭ ହୋଇଛି। ସର୍ବମୋଟ ୮ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଥିବା ୧୩୧ଟି ଗ୍ରାମ ପଂଚାୟତ ଏହି ଯୋଜନାରେ ଉପକୃତ ହେବେ। ବ୍ଲକ ସହିତ ସଂଯୋଗ କରିବା ପାଇଁ ୪୨ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୯ଟି ଏସି ବସ ଆରମ୍ଭ କରାଯାଇଛି।

କେବଳ ପରିବହନ କ୍ଷେତ୍ର ନୁହେଁ ବରଂ ଏକାଧିକ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନାର ଅବଦାନ ରହିବ। ବସର ପରିଚାଳନା କାର୍ଯ୍ୟ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆ ଯାଇଛି ଯାହା ଦ୍ୱାରା ମହିଳା ସଶକ୍ତିକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଛି।