ଆଇଆଇଟି ଇନ୍ଦୋରର ନବସୃଜନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ୟମିତା ଅନୁଭୂତିମୂଳକ ଶିକ୍ଷା କେନ୍ଦ୍ର ଉଦଘାଟିତ

• ଭିସି ଯୋଗେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଶିକ୍ଷା କେନ୍ଦ୍ରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ • ଉଜ୍ଜୈନରେ ଆଇଆଇଟି ଇନ୍ଦୋର ଦ୍ୱାରା ସ୍ଥାପିତ ଲାବ୍ରୋଟୋରୀ ଆଧୁନିକ ଆଷ୍ଟ୍ରୋନୋମୀର ପ୍ରମୁଖ ଆବଶ୍ୟକତାକୁ ପୂରଣ କରିବ • ଉଦ୍ଭାବନ ଆମ ଡିଏନଏରେ ଅଛି, କ୍ରିଟିକାଲ ଥିଙ୍କିଂର ବିକାଶ ପାଇଁ ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ

ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହନ ମିଳିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୮ ମାର୍ଚ୍ଚ ୨୦୨୪: ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆସ୍ଥା ଓ ଜ୍ଞାନର ନଗରୀ ଉଜ୍ଜୈନରେ ଆଇଆଇଟି ଇନ୍ଦୋରର ଇନୋଭେସନ, ଟେକ୍ନୋଲୋଜି ଏବଂ ଉଦ୍ୟମିତା ଅନୁଭୂତିମୂଳକ ଶିକ୍ଷା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେବା ଦିଗରେ ଆଜି ମହାଶିବରାତ୍ରୀର ପବିତ୍ର ଦିନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ଉପସ୍ଥିତିରେ ଏହି ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଉଜ୍ଜୈନ ଆଷ୍ଟ୍ରୋନୋମୀ ଜ୍ଞାନ ଓ ଭାରତୀୟ ଜ୍ଞାନ ପରମ୍ପରାର ଏକ ମହନ କେନ୍ଦ୍ର ଅଟେ । ଆଧୁନିକ ଆଷ୍ଟ୍ରୋନୋମୀର ଏକ ପ୍ରମୁଖ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇଆଇଟି ଇନ୍ଦୋର ଉଜ୍ଜୈନରେ ଏକ ଲାବ୍ରୋଟୋରୀ କମ୍ପ୍ଲେକ୍ସ ସ୍ଥାପନ କରିଛି । ବିଜ୍ଞାନକୁ ମୂଳଭାଗରୁ ପୁନସ୍ଥାପିତ କରିବା ଦିଗରେ ବିଶ୍ୱକୁ ଏହା ଭାରତର ଅବଦାନ ରହିବ । ଆଜିର ପଦକ୍ଷେପ ମଧ୍ୟପ୍ରଦେଶରେ ବୈଷୟିକ ଶିକ୍ଷାକୁ ବଡ ଗତି ଦେବ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ମଧ୍ୟପ୍ରଦେଶକୁ ବିଶ୍ୱର ଅଗ୍ରଣୀ ଜ୍ଞାନର ପେଣ୍ଠସ୍ଥଳୀ ଭାବେ ପ୍ରତିଷ୍ଠା କରିବାକୁ ପଡ଼ିବ । ଭୋପାଳ, ଇନ୍ଦୋର, ଉଜ୍ଜୈନ କରିଡର ଏହାର ନେତୃତ୍ୱ ନେବ । ଆଇଆଇଟି ଇନ୍ଦୋର ନେତୃତ୍ୱରେ ଆମକୁ ଉଜ୍ଜୈନ ଏବଂ ଇନ୍ଦୋର କରିଡରରେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ଏକ ନୂତନ ଭାରତ ମଡେଲ ତିଆରି କରିବାକୁ ପଡିବ । ଉଦ୍ଭାବନ ଆମ ଡିଏନଏରେ ଅଛି । କ୍ରିଟିକାଲ ଥିଙ୍କିଂର ବିକାଶ ପାଇଁ ଆମକୁ ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଭାରତ ଏବଂ ମଧ୍ୟପ୍ରଦେଶ ମୂଳ ସହ ଯୋଡି ହୋଇ ଭବିଷ୍ୟତ ଜ୍ଞାନର ଏକ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।