ପାରାଦୀପରେ ହେବ ସ୍ୱାମୀ-ସ୍ତ୍ରୀ ଲଢେଇ!

ବିଜେଡ଼ିରେ ଯୋଗଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ।

ଗୋଟିଏ ଘରେ ଶାସକ-ବିରୋଧୀ!

ଭୁବନେଶ୍ୱର, ୧୭/୦୩/୨୦୨୪: ସ୍ୱାମୀ କଂଗ୍ରେସର ଜଣେ ଦବଦବା ନେତା। ଦଳର ଜଣେ ଦକ୍ଷ ସଂଗଠକ। ପାରାଦୀପ ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା। ସ୍ତ୍ରୀ ଚାହିଁଥିଲେ କଂଗ୍ରେସରେ ଯୋଗ ଦେଇ ପାରିଥାନ୍ତେ। କିନ୍ତୁ ସ୍ୱାମୀଙ୍କ ବିରୋଧି ତଥା ଓଡିଶାର ଶାସକ ଦଳରେ ଯୋଗ ଦେଲେ ସ୍ତ୍ରୀ। କଂଗ୍ରେସ ନେତା ବାପି ସର୍ଖେଲଙ୍କ ସ୍ତ୍ରୀ ମୋନିଦୀପା ସର୍ଖେଲ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ତେବେ ମୋନିଦୀପା ବିଜେଡ଼ିରେ ଯୋଗ ଦେବା ଫଳରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଶ୍ନ ଉଠୁଛି, ଏଥର ବି ନବୀନ ଆଉ ମହିଳା କାର୍ଡ ଖେଳୁ ନାହାନ୍ତି ତ? ଆସନ୍ତା ବିଧାନସଭା ନିର୍ବାଚନରେ ମୋନିଦୀପାଙ୍କୁ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବେ କି ବିଜେଡି ସୁପ୍ରିମୋ? ଯଦି ପାରାଦୀପ ନିର୍ବାଚନ ମଣ୍ଡଳୀରୁ ମୋନିଦୀପାଙ୍କୁ ପ୍ରାର୍ଥୀ କରାଯାଏ, ତାହାଲେ ତାଙ୍କ ବିରୋଧରେ ଲଢିବେ ବାପି ସର୍ଖେଲ। ଏଥର ପାରାଦୀପରେ ନିଶ୍ଚୟ ରାଜନୀତିରେ ଏକ ପ୍ରକାର ପାରିବାରିକ ଲଢେଇ ଦେଖିବାକୁ ମିଳିବ।

ସୂଚନାନୁସାରେ, ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ତାଙ୍କର ଶହ ଶହ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ ମୋନିଦୀପା। ବର୍ତ୍ତମାନ ସେ ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି। ଏହାସହ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ୯ ଜଣ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଓ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋନିଦୀପା ସର୍ଖେଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଓ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।”