୨୨ରେ ଆସୁଛି ଚଳଚ୍ଚିତ୍ର “ସ୍ୱତନ୍ତ୍ର ବୀର ସାବରକର”

ଆସନ୍ତା ମାର୍ଚ୍ଚ ୨୨ରେ ସ୍ୱତନ୍ତ୍ର ବୀର ସାବରକର ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି।

ଇତିହାସ ପୃଷ୍ଠଭୂମିରୁ ଲୁକାୟିତ ଥିବା ଏକ ଅନନ୍ୟ କାହାଣୀ

ମୁମ୍ବାଇ, ୧୭/୦୪/୨୦୨୪: ସ୍ୱତନ୍ତ୍ର ବୀର ସାବରକର ଏକ ହିନ୍ଦୀ ଚଳଚ୍ଚିତ୍ର ଯାହା ୨୨ ମାର୍ଚ୍ଚ ୨୦୨୪ରେ ମୁକ୍ତିଲାଭ କରିବାକୁ ଯାଉଛି। ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣଦୀପ ହୁଡା, ଅମିତ ସିଆଲ, ଅଙ୍କିତା ଲୋଖଣ୍ଡେ ଏବଂ ଆର ଭକ୍ତି କ୍ଲେନ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଏହି ଚଳଚିତ୍ରର ପ୍ରିମିୟର ରିଲିଜ ହୋଇ ସାରିଛି। ଯାହା ପରେ ଏହା ବିବାଦ ମଧ୍ୟକୁ ଟାଣି ହୋଇ ଯାଇଛି।

ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଲୋକଲୋଚନରୁ ଆଢୁଆଳରେ ଥିବା ବୀର ସାବରକରଙ୍କ ଦେଶ ପ୍ରତି ଥିବା ବଳୀଦାନକୁ ଦର୍ଶାଇଛି। ଏହି ଚଳଚ୍ଚିତ୍ର ସମ୍ପର୍କରେ ନିର୍ଦ୍ଦେଶନା, ସହ ପ୍ରଯୋଜନା ଓ ବୀର ସାବରକରଙ୍କ ଭୂମିକାରେ ଅଭିନୟ କରିଥିବା ରଣଦୀପ ହୁଡା କହିଛନ୍ତି, “ମୋର ଶୁଭେଚ୍ଛୁମାନେ ମୋତେ କହିଥିଲେ ଯେ ଏହି ଫିଲ୍ମ କରନ୍ତୁ ନାହିଁ। କୌଣସି ରାଜନୈତିକ ଦଳ ସହ ଜଡ଼ିତ ରହିବେ। କିନ୍ତୁ ମୁଁ ଜିଦ୍ଦି ଥିଲି। ଇତିହାସର ଛାତ୍ର। ମୁଁ କଳା ପାଣି ବ୍ୟତୀତ ବୀର ସାବରକରଙ୍କ ବିଷୟରେ ଅଧିକ ପଢି ନଥିଲି। ଏପରିକି ସ୍କୁଲ ବହିରେ ସଶସ୍ତ୍ର ବିପ୍ଳବର କେବଳ ଗୋଟିଏ ପାରାଗ୍ରାଫ ଥିଲା। ତା’ପରେ ମୁଁ ତାଙ୍କ ବିଷୟରେ ହିନ୍ଦୀ, ଇଂରାଜୀ ଏବଂ ମରାଠୀରେ ଲେଖାଯାଇଥିବା ଅନେକ ପୁସ୍ତକ ପଢିଲି। ତା’ପରେ ଲାଗୁଥିଲା ଏହି କାହାଣୀ ଆମ ସ୍ମୃତିରୁ ଛଡ଼ାଇ ନିଆଯାଇଛି। ମୁଁ ଏତେ ପଢିଥିଲି ଯେ ମୁଁ ଫିଲ୍ମ ଲେଖିଥିଲି। ଭଲ ହୋଇଛି, ମୁଁ କାହା କଥା ଶୁଣିନଥିଲି। ମୁଁ ମୋ ଘର ବିକ୍ରି କରି ଏହି ଚଳଚ୍ଚିତ୍ର ବନେଇଛି।”

ବିନାୟକ ଦାମୋଦର ସାବରକର ବା ବୀର ସାବରକର ଜଣେ ଭାରତୀୟ ରାଜନୀତିଜ୍ଞ, ସାମାଜିକ କର୍ମୀ ଏବଂ ଲେଖକ। ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯାହା ଲୋକଲୋଚନକୁ ଆସି ପାରିନଥିଲା। ବୀର ସାବରକର ୧୯୦୪ ମସିହାରେ ଗଠନ କରିଥିଲେ ଅଭିନବ ଭାରତ ସୋସାଇଟି। ୧୯୦୪ ମସିହାରେ ଶ୍ୟାମଜୀ କିସନ ବର୍ମାଙ୍କ ଦ୍ୱାରା ଲଣ୍ଡନରେ ଗଠିତ ହୋଇଥିବା ‘ଇଣ୍ଡିଆ ହାଉସ’ରେ ୧୯୦୬ ମସିହାରେ ଇଂଲଣ୍ଡ ଯାଇ ତା’ ସହ ଜଡିତ ହୋଇଥିଲେ। ଯାହା ଫଳରେ ଇଣ୍ଡିଆ ହାଉସ ସହ ସମ୍ପର୍କ ରଖିଥିବାରୁ ୧୯୧୦ ମସିହାରେ ସାବରକରଙ୍କୁ ବ୍ରିଟିଶ ସରକାର ଗିରଫ କରିଥିଲେ। ସେ ୧୯୦୭ ମସିହାରେ ‘ଅଖିଳ ଭାରତ ହିନ୍ଦୁ ମହାସଭା’ ଗଠନ କରିଥିଲେ। ୧୯୩୭ ମସିହାରୁ ୧୯୪୩ ମସିହା ପର୍ଯ୍ୟନ୍ତ ହିନ୍ଦୁ ମହାସଭାର ସଭାପତି ଥିଲେ। ବୀର ସାବରକର ବହୁ ଦିନ ଧରି ନିଜ ଇଚ୍ଛାରେ ଉପବାସ ରହିବାରୁ ତାଙ୍କର ୨୬ ଫେବୃଆରୀ ୧୯୬୬ ମସିହାରେ ଦେହାନ୍ତ ହୋଇଥିଲା।