ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର କଂଗ୍ରେସ ନେତା ବିଧୁଭୂଷଣ ତ୍ରିପାଠୀ

ବିଜେଡିର ମିଶ୍ରଣ ପର୍ବ

ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର, ୨୬/୦୪/୨୦୨୪: ବଲାଙ୍ଗୀର ନିର୍ବାଚନମଣ୍ଡଳୀର ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଧୁଭୂଷଣ ତ୍ରିପାଠୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ସିଂହଦେଓ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବଲାଙ୍ଗୀର ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ସିଂହଦେଓ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଧୁଭୂଷଣ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ପ୍ରଫୁଲ୍ଲ କୁମାର ବାଗର, ସୁବ୍ରତ କୁମାର ପଟେଲ, ତିର୍ଥୀରାଜ ସେନାପତୀ, ଗୋପାଳ ଦାନୀ, ଅର୍ଜୁନ ମୁଗ୍ରୀ, ଗ୍ଲାଡଷ୍ଟୋନ ତାଣ୍ଡେ, ସୁରେଶ ମିଶ୍ର, ରାମଧାରୀ ବାରିକ, ଦୟାନିଧି ବିଶି, ଶୁଭକାନ୍ତ ପଟେଲ, ବିଜୟ କୁମାର ସାହୁ, ରାଜକିଶୋର ବାରିକ, ନିଶାରକାନ୍ତ ନାଗ, ରୁଦ୍ର ରଣା, ସମ୍ପତି ବୁଦେକ, ପ୍ରକାଶ ପଣ୍ଡା, ଅନ୍ତଜ୍ୟାମି ଗଡତିଆଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।