ତାତିରୁ ନିସ୍ତାର ନାହିଁ: ଆହୁରି ୪ ଦିନ ଜଳିବ ଜଳାଇବ

ଭୁବନେଶ୍ବର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

୯ ଯାଏ ବର୍ଷା ନାହିଁ

ଭୁବନେଶ୍ବର, ୨୭/୦୪/୨୦୨୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚିନ୍ତାର କାରଣ ହୋଇଛି। ପ୍ରବଳ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରକୋପ ଏତେ ରହିବ ଯେ, ଉତ୍ତର ଓ ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଟପିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ଓ ପଶ୍ଚିମ ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ଆଇଏମଡିର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା କଟକ ୪୧.୨ ଡିଗ୍ରୀ, ଭୁବନେଶ୍ବର ୪୧ ଡିଗ୍ରୀ, ଗୋପାଳପୁର ଓ ପୁରୀ ୩୪.୨ ଡିଗ୍ରୀ, ବାଲେଶ୍ୱର ୪୦ ଡିଗ୍ରୀ, ଝାରସୁଗୁଡ଼ା ୪୧.୪ ଡିଗ୍ରୀ, ଚାନ୍ଦବାଲି ୩୨.୮ ଡିଗ୍ରୀ ଏବଂ ପାରାଦୀପ ତାପମାତ୍ରା ୩୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏପରି ସ୍ଥିତି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଶୁଷ୍କ ଜଳବାୟୁ ପାଇଁ ଆସନ୍ତା ମେ ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ବହୁଛି।