ନିର୍ବାଚନରେ ପରାଜୟ ଗ୍ରହଣୀୟ: ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ନବୀନ

ନିର୍ବାଚନ ଫଳାଫଳ ପରେ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ

ଭୁବନେଶ୍ବର, ୦୮/୦୬: ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ଗଣମାଧ୍ୟମ ସାମନାରେ ଆସିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ ନିବାସରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି, ଓଡିଶାବାସୀଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି। ମୋତେ ବାରମ୍ବାର ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାରୁ ମୁଁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସବୁବେଳେ ଜନତାଙ୍କ ସେବା କରି ଆସିଛି। ନିର୍ବାଚନରେ ହାର ଜିତ୍ ଲାଗି ରହିଥାଏ। ବହୁ ବର୍ଷ ପରେ ପରାଜୟର ସମ୍ମୁଖୀନ ହୋଇଥିବାରୁ ଜନାଦେଶକୁ ମଧ୍ୟ ସମର୍ଥନ ଜଣାଉଛି। ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର। ଏଣୁ ଆଗକୁ ବି ମୁଁ ଓଡ଼ିଶାବାସୀଙ୍କ ସେବା ଜାରି ରଖିବି। ମୋ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମୁଁ କହି ରଖୁଛି ଯେ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ପୂର୍ବ ମାସରେ ଏତେ ଖରା ସତ୍ତ୍ବେ ମୁଁ ଲଗାତାର ନିର୍ବାଚନୀ ପ୍ରଚାର କରିଥିଲି।

ଭିକେ ପାଣ୍ଡିଆନଙ୍କୁ ନେଇ ସାଧାରଣ ଜନତାଙ୍କ ସହ ବିରୋଧୀ ଦଳ ନେତା ମଧ୍ୟ ବିଜେଡି ହାରିବାର କାରଣ ବୋଲି କହୁଥିବା ବେଳେ ନବୀନ ପଟ୍ଟନାୟକ କିନ୍ତୁ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ନବୀନ କହିଛନ୍ତି ଯେ, ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ମୋ କାନରେ ପଡିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜଣେ ଅଧିକାରୀ ଭାବରେ ସେ ନିଷ୍ଠାପର ଭାବେ କାମ କରୁଥିଲେ। ଓଡ଼ିଶାରେ ଆସିଥିବା ଦୁଇଟି ବାତ୍ୟା ଓ କରୋନା ମହାମାରୀ ସମୟରେ ରାଜ୍ୟର ସ୍ଥିତିକୁ ବହୁତ ଭଲ ଭାବେ ପରିଚାଳନା କରିଥିଲେ। ଅଫିସର ଭାବେ କାମ କରି ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ। ନିଷ୍ଠାପର ଭାବେ କାମ କରୁଥିବାରୁ ସେ ସର୍ବଦା ସ୍ମରଣୀୟ ରହିବେ। ପାଣ୍ଡିଆନ ଓଡ଼ିଶାର ରୂପାନ୍ତରୀକରଣରେ ବହୁ ସାହାଯ୍ୟ କରିଥିଲେ। ସେ ବିଜେଡିରେ କୌଣସି ପଦପଦବୀରେ ନାହାନ୍ତି କି ଏଥର ନିର୍ବାଚନରେ ମଧ୍ୟ କୌଣସି ବି ନିର୍ବାଚନ ମଣ୍ଡଳୀରୁ ଲଢି ନାହାନ୍ତି। ସେ ମୋର ଉତ୍ତରାଧିକାରୀ ନୁହଁନ୍ତି। ମୋ ଉତ୍ତରାଧିକାରୀ କିଏ ହେବେ, ତାହା ଓଡିଶାବାସୀ ସ୍ଥିର କରିବେ ବୋଲି ନବୀନ କହିଛନ୍ତି।