ଆଇପିଏସ ଆଶିଷ ସିଂହଙ୍କ ପାଇଁ ବଢିଲା ଅଡୁଆ

ଆଇପିଏସ ଆଶିଷ ସିଂହ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ମେଡିକାଲ ରିପୋର୍ଟରେ ପ୍ରକାଶ ପାଇଛି।

ମିଛ ଧରା ପକାଇଦେଲା ଏମ୍ସ ବୋର୍ଡ ରିପୋର୍ଟ

ଭୁବନେଶ୍ବର, ୦୮/୦୬: ଆଇପିଏସ ଅଫିସର ଆଶିଷ ସିଂହଙ୍କ ପାଇଁ ବଢିଲା ଅଡୁଆ। ଧରା ପଡିଲା ନିର୍ବାଚନ ବେଳେ କହିଥିବା ମିଛ। ଏବେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆଶିଷ ସିଂହ ଭୁଲ ତଥ୍ୟ ଦେଇଥିବାରୁ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଆଇପିଏସ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଗଠିତ ଏମ୍ସ ବୋର୍ଡର ରିପୋର୍ଟ ଆଧାରରେ ହେବ କାର୍ଯ୍ୟନୁଷ୍ଠାନ।

୨୦୨୪ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଥିଲେ ଆଶିଷ ସିଂହ। ଛୁଟିରେ ଥିବା ବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଭାରତୀୟ ନିର୍ବାଚନ ଆୟୋଗ ଆଶିଷଙ୍କ ବିରୋଧରେ ଆକ୍ସନ ନେଇଥିଲେ। ଆଶିଷଙ୍କୁ ନିଲମ୍ବନ କରିବା ସହ ରେସିଡେଣ୍ଟ କମିଶନଙ୍କ ପାଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏମ୍ସ ମେଡିକାଲ ବୋର୍ଡ ଗଠନ କରି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ। ଭୁବନେଶ୍ବର ଏମ୍ସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରା ଯାଇଥିଲା। ଏହି ମେଡିକାଲ ରିପୋର୍ଟ ଦର୍ଶାଇଛି ଯେ, ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛି। ସେ ମାନସିକ ଓ ଶାରୀରିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏମ୍ସ ବୋର୍ଡର ଏହି ରିପୋର୍ଟକୁ ଆଧାର କରି ଆଶିଷ ସିଂହଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆଶିଷଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି।