ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତର୍ଜାତିକ ରେଳଫାଟକ ସଚେତନତା ଦିବସ ପାଳନ

ସମ୍ବଲପୁର ରେଳ ମଣ୍ଡଳରେ ଜୁନ ୬ ତାରିଖରେ ଆନ୍ତର୍ଜାତିକ ରେଳଫାଟକ ସଚେତନତା ଦିବସ ପାଳନ ହୋଇଯାଇଛି।

ସଚେତନତା ମୂଳକ ଅଭିଯାନ ଆୟୋଜିତ

ଭୁବନେଶ୍ବର, ୦୮/୦୬: ସମ୍ବଲପୁର ରେଳ ମଣ୍ଡଳରେ ଜୁନ ୬ ତାରିଖରେ ଆନ୍ତର୍ଜାତିକ ରେଳଫାଟକ ସଚେତନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଜୁନ ପହିଲାରୁ ୮ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା ମୂଳକ ଅଭିଯାନ ଆୟୋଜନ କରାଯାଇଥିଲା। ମଣ୍ଡଳ ଦ୍ୱାରା ସଡକ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ବିଭିନ୍ନ ରେଳଫାଟକ, ପେଟ୍ରୋଲ ପମ୍ପ, ସାପ୍ତାହିକ ବଜାର ସ୍ଥାନ ଗୁଡିକରେ ଏବଂ ରେଳଫାଟକ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ନିରାପତ୍ତା ସମ୍ପର୍କିତ ପାମ୍ପଲେଟ, ପୋଷ୍ଟର, ଷ୍ଟିକର ଇତ୍ୟାଦି ବଣ୍ଟନ କରାଯାଇଥିଲା। ସମ୍ବଲପୁର ରେଳ ମଣ୍ଡଳର ନିରାପତ୍ତା ବିଭାଗର କର୍ମଚାରୀ ସୋସିଆଲ ଷ୍ଟାର କ୍ଲବର ସଦସ୍ୟମାନଙ୍କ ସହିତ ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ ଶ୍ରୀ ସମ୍ବିତ ସରେଇ ନାୟକ ରେଳଫାଟକଠାରେ ନିରାପତ୍ତା ସମ୍ବନ୍ଧୀୟ ଉପାୟ ଓ ନିର୍ଦ୍ଦେଶାବଳୀ ଗୁଡିକ ସମ୍ବନ୍ଧରେ ସଡକ ବ୍ୟବହାରକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ନିରାପତ୍ତା ନିୟମଗୁଡିକ ପାଳନ କରିବାକୁ ଏବଂ ରେଳ ଫାଟକ ଅତିକ୍ରମ କରିବା ସମୟରେ ସତର୍କତା ଓ ସାବଧାନତା ଅବଲମ୍ବନ କରିବାକୁ ସମସ୍ତ ସଡକ ବ୍ୟବହାରକାରୀମାନଙ୍କୁ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ତୁଷାରକାନ୍ତ ପାଣ୍ଡେ ଅନୁରୋଧ କରିଛନ୍ତି।