ଶେଷ ହେଲା ଭିକେ ପାଣ୍ଡିଆନଙ୍କ ରାଜନୈତିକ ଯାତ୍ରା

ଭିକେ ପାଣ୍ଡିଆନ ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି।

ରାଜନୀତିରୁ ସନ୍ୟାସ ନେଲେ, କ୍ଷମା ମାଗିଲେ

ଭୁବନେଶ୍ବର, ୦୯/୦୬: ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ପ୍ରଚାର ମାଧ୍ୟମରେ ଘୋଷଣା କରିଥିଲେ ଯେ, ଯଦି ଓଡିଶାରେ ବିଜେଡ଼ି ସରକାର ଗଠନ ନ କରେ, ତାହାଲେ ସେ ରାଜନୀତିରୁ ସନ୍ୟାସ ନେବେ। ଆଜି ତାହା ସତ ହୋଇଛି। ରାଜନୀତିରୁ ସନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ। ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ରାଜନୀତି ଛାଡିବା ସହ ଦଳୀୟ ପ୍ରାର୍ଥୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ଭିଡ଼ିଓ ବାର୍ତ୍ତାରେ ପାଣ୍ଡିଆନ କହିଛନ୍ତି ଯେ, ଏକ ସାଧାରଣ ପରିବାରରେ ମୋର ଜନ୍ମ। ମୋର ପିଲା ବେଳୁ ଆଇଏଏସ୍ ହେବା ପାଇଁ ସ୍ୱପ୍ନ ଥିଲା। ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ଥିଲା। ମୁଁ ଆଇଏଏସ ହୋଇ ଓଡିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛି। ଜିଲ୍ଲାପାଳ ଥିବା ସମୟରେ ଓଡ଼ିଶାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲି। ଲୋକଙ୍କ ପାଇଁ ସବୁବେଳେ କାମ କରିବାକୁ ଚେଷ୍ଟା କରିଛି। ଓଡ଼ିଶାରେ ସ୍ୱାସ୍ଥ୍ୟ, ଶିକ୍ଷା ଦାରିଦ୍ର୍ୟ ହ୍ରାସ ଓ ଦେବାଦେବୀ ମନ୍ଦିରର ରୂପାନ୍ତରୀକରଣ ସହ ବିଭିନ୍ନ ଯୋଜନା ଦ୍ୱାରା ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଛି। ନବୀନ ପଟ୍ଟନାୟକଙ୍କୁ ସହାୟତା ପାଇଁ ରାଜନୀତିକୁ ଆସିଥିଲି। ଗତ ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲି। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ପ୍ରେରିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲି। ମୋର ଗୁରୁ ନବୀନ ପଟ୍ଟନାୟକ। ମୋର ଉଦ୍ଦେଶ୍ୟ କେବଳ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିବା ପାଇଁ ଥିଲା। ମୋର ପୈତୃକ ସମ୍ପତ୍ତି ବ୍ୟତିତ ଅନ୍ୟ କେଉଁଠି ବି ସମ୍ପତ୍ତି ନାହିଁ। ମୋତେ ନେଇ ରାଜନୀତିରେ ଏକ ନ୍ୟାରେଟିଭ୍ ତିଆରି କରାଯାଇଥିଲା। କିନ୍ତୁ ଉଚିତ୍ ସମୟରେ ମୁଁ ଏହାର ଜବାବ ଦେଇ ପାରିନଥିଲି। ବିଜେଡିର କୌଣସି ପଦ ପଦବୀରେ ନଥିଲି କି ନିର୍ବାଚନ ମଧ୍ୟ ଲଢି ନଥିଲି। ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ। ପ୍ରଚାର କରି ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ। ବିଜେଡିର ପରାଜୟ ପାଇଁ ମୁଁ ବିଜୁ ପରିବାର ଓ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ବୋଲି ପାଣ୍ଡିଆନ କହିଛନ୍ତି।

ଗତ ବର୍ଷ ନଭେମ୍ବର ୨୭ରେ ଆଇଏଏସ ପଦରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ପାଣ୍ଡିଆନ। ପାଣ୍ଡିଆନଙ୍କୁ ନେଇ ବିଜେଡିକୁ ବାରମ୍ବାର ଘେରୁଥିଲା ବିଜେପି। ବିଜେଡିର ନିର୍ବାଚନ ହାରିବା କାରଣ ମଧ୍ୟ ଭିକେ ପାଣ୍ଡିଆନଙ୍କୁ ଦିଆ ଯାଉଥିଲା। ଭିକେ ପାଣ୍ଡିଆନଙ୍କ ପ୍ରଚାର ଯୋଗୁଁ ବିଜେଡି ହାରିଛି ବୋଲି ବିଭିନ୍ନ ଦଳ କହୁଥିଲେ। ଏପରିକି ବିଜେଡିରେ ଦଳୀୟ କନ୍ଦଳ ମଧ୍ୟ ସୃଷ୍ଟି ହୋଇଥିଲା। ବିଜେଡି ହାରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭିକେ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା।