ତୃତୀୟ ପାଳି ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ।

ନବାଗତ କ୍ୟାବିନେଟ ମନ୍ତ୍ରୀଙ୍କୁ ଅଭିନନ୍ଦନ

ଭୁବନେଶ୍ବର, ୧୦/୦୬: କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ତାଙ୍କ ଏକ୍ସ ସାଇଟରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ। ଆପଣଙ୍କର ସଫଳ କାର୍ଯ୍ୟକାଳ କାମନା କରିବା ସହ ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମ ଦେଶ ବିକାଶର ନୂଆ ଶୀର୍ଷରେ ପହଂଚିବ।

ସେହିପରି ଅନ୍ୟ ଏକ ବାର୍ତ୍ତାରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ। କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଓଡ଼ିଶା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅଭିନନ୍ଦନ ଜଣାଉଛି। ଦେଶ ପାଇଁ ଏବଂ ବିଶେଷ କରି ଓଡ଼ିଶାବାସୀଙ୍କ ପାଇଁ ନିଜ ନିଜ ମନ୍ତ୍ରଣାଳୟରେ ସଫଳତାର କାର୍ଯ୍ୟ କରନ୍ତୁ।

ନବୀନ ପଟ୍ଟନାୟକଙ୍କ ଏହି ଶୁଭେଚ୍ଛା ପାଇଁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଶୁଭେଚ୍ଛା ଜଣାଇ ଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଆପଣଙ୍କ ଭଳି ରାଷ୍ଟ୍ରନେତାଙ୍କ ପ୍ରେରଣାଦାୟୀ ଶବ୍ଦ ବହୁ ତାତ୍ପର୍ଯ୍ୟପୂର୍ଣ୍ଣ। ଆଶା ଓ ଆକାଂକ୍ଷା ପୂରଣ ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ଆମେ ବଦ୍ଧପରିକର।