ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ନରେନ୍ଦ୍ର ମୋଦି

ପିଏମ କିଷାନ ନିଧି ଯୋଜନାରେ ୧୭ତମ କିସ୍ତି ବଣ୍ଟନ କରାଯିବ।

ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ ଉତ୍ସର୍ଗ

ନୂଆଦିଲ୍ଲୀ,୧୦/୦୬: ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି। ସୋମବାର ସକାଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ସାଉଥ୍ ବ୍ଲକରେ ପହଞ୍ଚିଥିଲେ। ମୋଦିଙ୍କୁ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବା ସହ ପିଏମଓର ସମସ୍ତ ଅଧିକାରୀ ଓ କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନରେନ୍ଦ୍ର ମୋଦି। କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଥମ ଫାଇଲ ପାସ୍ କରିଛନ୍ତି ନରେନ୍ଦ୍ର ମୋଦି। ପିଏମ କିଷାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି। ପିଏମ କିଷାନ ନିଧି ଯୋଜନାରେ ଅର୍ଥ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ଅନୁମତି ଦିଆଯାଇଛି। ଏହା ଜରିଆରେ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯାହା ଦ୍ୱାରା ୯ କୋଟି ୩୦ ଲକ୍ଷ ଚାଷୀ ଉପକୃତ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଷାନ କଲ୍ୟାଣ ପାଇଁ ଆମର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ତେଣୁ ଦାୟିତ୍ୱ ନେବା ପରେ ସ୍ୱାକ୍ଷରିତ ପ୍ରଥମ ଫାଇଲ କୃଷକ କଲ୍ୟାଣ ସହ ଜଡିତ ହେବା ଉଚିତ। ଆଗାମୀ ଦିନରେ ଆମେ କୃଷକ ଓ କୃଷି କ୍ଷେତ୍ର ପାଇଁ ଆହୁରି ଅଧିକ କାମ କରିବାକୁ ଚାହୁଁଛୁ।