କାଲି ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି।

୫ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ

ଭୁବନେଶ୍ବର, ୧୧/୦୬: ଭୁବନେଶ୍ବରର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ଭୁବନେଶ୍ବରରେ ୬୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ। ଜଣେ ଆଇଜି, ଦୁଇ ଜଣ ଡିଆଇଜି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ୧୩ ଜଣ ଡିସିପି, ୧୮ ଜଣ ଏଡିସିପି ପାହ୍ୟାର ଅଧିକାରୀ ମଧ୍ୟ ଦାୟିତ୍ୱରେ ରହିବେ। ଏଥିରେ ୫୮ ଜଣ ଏସିପି, ୯୪ ଜଣ ଇନ୍ସପେକ୍ଟର, ୩୧୨ ଜଣ ଏସଆଇ/ଏଏସଆଇ ରହିବେ।

ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ପୁଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ୍ ଆଡଭାଇଜରି ଅନୁଯାୟୀ, ବୁଧବାର ଅପରାହ୍ନ ୨ଟାରୁ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ୫ ଘଣ୍ଟା ଯାଏଁ ଜୟଦେବ ବିହାର ଛକରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ସଂଲଗ୍ନ ଗଳି ରାସ୍ତାରେ ମଧ୍ୟ ଯାନବାହାନ ଚଳାଚଳ ବନ୍ଦ ରହିବ। ଶପଥ ଗ୍ରହଣ ସମାରୋହ ପାଇଁ ସ୍ବତନ୍ତ୍ର ପାସ୍ ଥିବା ଗାଡ଼ି ମାଲିକଙ୍କୁ ହିଁ ଏହି ରାସ୍ତା ଦେଇ ଯିବାକୁ ଅନୁମତି ମିଳିବ। କଟକରୁ ଆସୁଥିବା ବସଗୁଡିକୁ ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ, ପ୍ରେସ୍ ଛକ, ନାଲକୋ ଛକ ଓ କଳିଙ୍ଗ ହସ୍ପିଟାଲ ରୋଡରେ ଯିବା ପାଇଁ ଅନୁମତି ଦିଆଯିବ।