ଓଡିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ

ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି।

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୧/୦୬: ସସପେନ୍ସ ଉପରୁ ଉଠିଲା ପରଦା। ଚାତକ ପରି ଚାହିଁ ରହିଥିବା ଓଡ଼ିଶାବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ଉପରେ ମୋହର ମାରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ମୋହନ ମାଝୀଙ୍କ ନାମ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି।

ବିଭିନ୍ନ ଗଣମାଧ୍ୟମରେ କଳ୍ପନାଜଳ୍ପନା ହେଉଥିବା ଚେହେରାଙ୍କୁ ହଟାଇ ନୂଆ ଚେହେରାଙ୍କ ଉପରେ ବାଜିଲା ମୋହର। ସର୍ବସମ୍ମତିକ୍ରମେ ବିଧାୟକ ଦଳ ବୈଠକରେ ମୋହନ ମାଝୀ ନିର୍ବାଚିତ ହୋଇଛନ୍ତି। ସରପ୍ରାଇଜ ଭାବେ ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ସାରା ଓଡିଶାବାସୀଙ୍କୁ ଚକିତ କରି ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ।

ସେହିପରି ବହୁ ବର୍ଷ ପରେ ଓଡ଼ିଶା ଏବେ ପାଇବାକୁ ଯାଉଛି ଉପମୁଖ୍ୟମନ୍ତ୍ରୀ। ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହ ଦେଓ ଏବଂ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ଶେଷ ଥର ପାଇଁ ୧୯୯୫ ମସିହାରେ ଉପମୁଖ୍ୟମନ୍ତ୍ରୀ ପଦ ଓଡ଼ିଶାରେ ଥିଲା।

 

ଆଜି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ନେଇ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦର ଯାଦବଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ସର୍ବାଧିକ ଭୋଟିଂ ଯାଇଥିଲା।

ମୋହନ ମାଝୀ ୪ ଥର ବିଧାୟକ ରହିବା ସହ ବିଜେଡ଼ି ସରକାର ଥିବା ସମୟରେ ସେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ। ବର୍ତ୍ତମାନ ସେ କେନ୍ଦୁଝର ସଦରରୁ ବିଧାୟକ ଅଛନ୍ତି। ସେ ଆଦିବାସୀ ଚେହେରା ମଧ୍ୟ ଏବଂ ଜଣେ ଟାଣୁଆ ନେତା ଭାବରେ ପରିଚିତ। ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପରେ ମୋହନ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୁଁ ଜଗନ୍ନାଥ ଓ ରାଜ୍ୟର ସାଢେ ଚାରିକୋଟି ନାଗରିକଙ୍କ ଆଶୀର୍ବାଦରେ ହୋଇଛି ମୁଖ୍ୟମନ୍ତ୍ରୀ। ଦେଶରେ ଓଡିଶାକୁ ୧ନମ୍ବର ରାଜ୍ୟ କରିବାକୁ ପ୍ରୟାସ କରିବି।” ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀ ଗଣ ଶପଥ ନେବେ।