ଦାନା ବାନ୍ଧୁଛି ଦୁଇଟି ଲଘୁଚାପ, ବଢିବ ବର୍ଷା

ଭୁବନେଶ୍ୱର:  ରାଜ୍ୟରେ ବର୍ଷା ବଢ଼ିବ । ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ । ପ୍ରଥମ ଲଘୁଚାପ ଆସନ୍ତା ୭ ତାରିଖବେଳକୁ ଆସିପାରେ । ଦ୍ୱିତୀୟଟି ଆସିବ ଆସନ୍ତା ୧୩/୧୪ ତାରିଖବେଳକୁ । ଭଲ ବର୍ଷା ହେବ ଏହା ପ୍ରଭାବରେ । ଆଗାମୀ ସ୍ୱାଧୀନତା ଦିବସ ଉତ୍ସବକୁ ବି ଫିକା କରିଦେଇପାରେ ଲଗାଣ ବର୍ଷା ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ କହୁଛି, ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୭ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ବର୍ତ୍ତମାନ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

ଶୁକ୍ରବାର (୫ ତାରିଖ) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖ ମଧ୍ୟ ସମାନ ସ୍ଥିତି ରହିପାରେ ।