ଭୁଟାନରେ ନେପାଳ ସ୍ଥିତି: ଫାଟିଲା ଗ୍ଲେସିଆଲ ଲେକ୍

ଭାରତର ୫ ଜିଲ୍ଲାକୁ ଆଲର୍ଟ, ହଜାର ହଜାର ଲୋକ ସ୍ଥାନାନ୍ତରିତ

ନୂଆଦିଲ୍ଲୀ/କୋଲକାତା, ୩୦/୧୦: ହିମାଳୟ ଅଞ୍ଚଳରେ ପ୍ରକୃତିର କାଳଛାୟା। ନେପାଳ ପରେ ଏବେ ସ୍ଥିତି ଭୁଟାନର। ପଡ଼ୋଶୀ ଦେଶ ଭୁଟାନରେ ଏକ ବିରାଟକାୟ ଗ୍ଲେସିଆଲ୍ ହ୍ରଦ ବିସ୍ଫୋରଣ ଘଟି ପ୍ରଚୁର ପରିମାଣର ଜଳରାଶି ନିର୍ଗତ ହୋଇଛି। ଏହା ପରେ ଭାରତର ପଶ୍ଚିମବଙ୍ଗ ଏବଂ ଆସାମର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ଭାବ୍ୟ ବନ୍ୟା ଏବଂ ଜଳପ୍ରଳୟର ଆଶଙ୍କାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ‘ରେଡ୍ ଆର୍ଲଟ୍’ ଜାରି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁଟାନର ଗାସା ଜିଲ୍ଲା ଅନ୍ତର୍ଗତ ୱାକିଲା ପର୍ବତ ନିକଟରେ ଥିବା ସିନ୍ତାଫୁ ବା ଲେମଥାଂଗ ଗ୍ଲେସିଆଲ୍ ହ୍ରଦ ହଠାତ୍ ଫାଟିଥିଲା। ଏହି ହ୍ରଦରୁ ପ୍ରାୟ ୭୪ ଲକ୍ଷ କ୍ୟୁବିକ୍ ମିଟରରୁ ଅଧିକ ଜଳ ହଠାତ୍ ଜନବସତି ଆଡ଼କୁ ମାଡ଼ିଆସିଥିଲା। ଏହାର ପ୍ରଭାବରେ ମୋ ଚୁ ଏବଂ ଶଙ୍କୋଷ ନଦୀର ଜଳସ୍ତର ଅତ୍ୟନ୍ତ ବିପଦଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଳୟଙ୍କରୀ ବନ୍ୟାଜଳର ପ୍ରକୋପରେ ସ୍ଥାନୀୟ ଏକ ଜଣାଶୁଣା ହଟ୍-ସ୍ପ୍ରିଂ କମ୍ପ୍ଲେକ୍ସ ଏବଂ ଏକ ପ୍ରମୁଖ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି।

ଭୁଟାନରୁ ବୋହିଆସୁଥିବା ଏହି ଜଳରାଶି ଶଙ୍କୋଷ ନଦୀ ଦେଇ ଭାରତୀୟ ସୀମା ଭିତରେ ପ୍ରବେଶ କରୁଥିବାରୁ ଉତ୍ତର ପଶ୍ଚିମବଙ୍ଗ ଏବଂ ଆସାମର ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାର ପ୍ରଶାସନକୁ ସର୍ବୋଚ୍ଚ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ଆଶଙ୍କାକୁ ଏଡ଼ାଇବା ପାଇଁ ପ୍ରଶାସନ ବିପଦସଙ୍କୁଳ ଅଞ୍ଚଳରୁ ୪,୦୦୦ ରୁ ୫,୦୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି। ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ରିଲିଫ୍ କ୍ୟାମ୍ପର ବ୍ୟବସ୍ଥା କରାଯାଇଛି।