ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ ତମ କିସ୍ତି ଟଙ୍କା ପ୍ରଦାନ

ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ୭୦୭.୮୬ କୋଟି ଟଙ୍କା ଜମା

ଅହମ୍ମଦାବାଦ, ୩୦/୧୦: ଗୁଜରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ୨୪ତମ କିସ୍ତି ଟଙ୍କା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପର୍ଯ୍ୟାୟରେ ଦେଶର ୯ କୋଟି ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧୮ ହଜାର ୬୯୦ କୋଟି ଟଙ୍କା ପଠାଯାଇଛି। ଏଥିରେ ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ଚାଷୀ ଉପକୃତ ହୋଇଛନ୍ତି। ରାଜ୍ୟର ଚାଷୀଙ୍କ ଖାତାକୁ ୭୦୭ କୋଟି ୮୬ ଲକ୍ଷ ଟଙ୍କା ଜମା ହୋଇଛି।

ଗୁଜରାଟ ଗସ୍ତ ଅବସରରେ ବନାସକାଣ୍ଠାରେ ଆୟୋଜିତ ପିଏମ୍‌-କିଷାନ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହି ଅର୍ଥ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ସେ ଏକ ବିରାଟ ରୋଡ୍‌ ସୋ’ରେ ଯୋଗଦେଇଥିଲେ। ରୋଡ୍‌ ସୋ’ ପରେ ପିଏମ୍‌-କିଷାନ ଉତ୍ସବସ୍ଥଳରେ ପହଞ୍ଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୂର୍ବରୁ ୨୩ଟି କିସ୍ତି ମାଧ୍ୟମରେ ୪.୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗ୍ୟ ଚାଷୀ ପରିବାରଙ୍କୁ ପ୍ରଦାନ କରାଯାଇଛି। ଏବେ ୨୪ତମ କିସ୍ତିରେ ଆଉ ୧୮,୬୯୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି।

ଏଥିସହ କୃଷି କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ନିର୍ମିତ ୫୨୧ଟି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶୀତଳ ଭଣ୍ଡାର, ଗୋଦାମ ଘର, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା, ପ୍ରାଥମିକ କୃଷି ପ୍ରକ୍ରିୟାକରଣ କେନ୍ଦ୍ର ଆଦି ରହିଛି। ଏହାଦ୍ୱାରା ଅମଳ ପରବର୍ତ୍ତୀ ଫସଲ ସଂରକ୍ଷଣ ଓ ବଜାରକୁ ଉତ୍ପାଦ ପହଞ୍ଚାଇବାରେ ଚାଷୀଙ୍କୁ ସୁବିଧା ମିଳିବ।

ସେହିପରି ଉଚ୍ଚମୂଲ୍ୟର ଉଦ୍ୟାନ କୃଷି ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ୧୨ଟି ଉଦ୍ୟାନ କୃଷି କ୍ଲଷ୍ଟରର ଶୁଭାରମ୍ଭ କରାଯାଇଛି। ପ୍ରାୟ ୧.୪୬ ଲକ୍ଷ ହେକ୍ଟର ଜମିକୁ ଏହି କ୍ଲଷ୍ଟର ଅଧୀନରେ ସାମିଲ କରାଯିବ। ଏଥିରେ ୧.୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବାର ଆକଳନ କରାଯାଇଛି।