ସମ୍ବଲପୁରରେ ବିଭିନ୍ନ ଦେବାଳୟ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା' ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କଲେ • ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିରରେ ଆଶୀର୍ବାଦ ନେଲେ • ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟି ଆଶୀର୍ବାଦ ନେଲେ

ସମ୍ବଲପୁରରେ ଥିବା ମନ୍ଦିର ଗୁଡିକ ପୁରାତନ ସଭ୍ୟତାର ବଡ ପ୍ରୟୋଗଶାଳା: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୧୬/୦୬: ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କୁ ଭେଟି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କରିଥିଲେ । ସେହିପରି ଝାଡୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ସମ୍ବଲପୁରରେ ଅନୋଖା ଶ୍ରୀ ଶ୍ୟାମ ମନ୍ଦିରରେ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ହେଉଛି ମନ୍ଦିରରେ ପରପୂର୍ଣ୍ଣ ସହର । ଏକ ଆଧ୍ୟାତ୍ମିକ ସହର । ଏଠାରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସମ୍ବଲପୁରକୁ ଏହା ମୋର ପ୍ରଥମ ଗସ୍ତ । ଏଠାକାର ମନ୍ଦିର ଗୁଡିକ କେବଳ ଆସ୍ଥାର କେନ୍ଦ୍ର ନୁହେଁ, ସଭ୍ୟତା ଓ ସଂସ୍କୃତିର ବଡ ପ୍ରୟୋଗଶାଳା । ସ୍ଥାନୀୟ ଜୀବନଜୀବନକୁ ଭଲରେ ବୁଝିବା ସହ ଲୋକଙ୍କ ସହ ପ୍ରତ୍ୟକ୍ଷ ମିଶିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି ।

ମନ୍ଦିର ଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ । ସମ୍ବଲପୁରର ବରିଷ୍ଠ ଲୋକମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସ୍ଥାନୀୟ ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ । ଏକ ସ୍ୱଚ୍ଛ, ସୁନ୍ଦର, ବିକଶିତ ଓଡ଼ିଶା ସହ ବିକଶିତ ସମ୍ବଲପୁର ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।