ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା: ୮ ମୃତ, ୨୫ ଆହତ

ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣା ଘଟିବା ଫଳରେ ଅନେକ ଆହତ ଓ ମୃତାହତ ହୋଇଥିବା ବେଳେ ଫସି ରହିଥିବା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉଦ୍ଧାରକାର୍ଯ୍ୟ ଜାରି; ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା, ୧୭/୦୬: ପଶ୍ଚିମବଙ୍ଗର ଦାର୍ଜିଲିଂରେ ଆଜି ସକାଳେ ଏକ ଏକ୍ସପ୍ରେସ୍ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୨୫ ଜଣ ଆହତ ହୋଇଛନ୍ତି। କଞ୍ଚନଜଙ୍ଗା ଏକ୍ସପ୍ରେସ ଆସାମର ସିଲଚରରୁ କୋଲକାତାର ସିଆଲଦା ଅଭିମୁଖେ ଯାଉଥିବା ବେଳେ ନ୍ୟୁ ଜଳପାଇଗୁଡ଼ି ନିକଟ ରଙ୍ଗପାଣି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଏହାକୁ ପଛପଟୁ ଧକ୍କା ଦେଇଥିଲା। ମାଲବାହୀ ଟ୍ରେନଟି ସିଗନାଲ ଅତିକ୍ରମ କରି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାକୁ ଦାର୍ଜିଲିଂ ଅଭିମୁଖେ ଯାତ୍ରା କରିଛନ୍ତି। ଏହା ସହ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୦୩୩-୨୩୫୦୮୭୯୪ ଏବଂ ୦୩୩-୨୩୮୩୩୨୬ (ସିଆଲଦା) ଏବଂ ୦୩୬୧୨୭୩୧୬୨୧, ୦୩୬୧୨୭୩୧୬୨୨ ଓ ୦୩୬୧୨୭୩୧୬୨୩।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଡାକ୍ତର ଏବଂ ବିପର୍ଯ୍ୟୟ ମୁକାବିଲା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦାର୍ଜିଲିଂ ଜିଲ୍ଲାର ଫନସେଓ୍ଵା ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଟ୍ରେନ୍ ଦୁର୍ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର, ଚିକିତ୍ସା ସହାୟତା ପାଇଁ ଡିଏମ୍, ଏସପି, ଡାକ୍ତର, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସେ ଏକ୍ସରେ ଲେଖିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ପ୍ରାଣହାନି ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କ ସହ ମୋର ସମବେଦନା ଓ ପ୍ରାର୍ଥନା ରହିଛି। ଆହତଙ୍କ ଆଶୁ ଆରୋଗ୍ୟ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଘଟିଥିବା ରେଳ ଦୁର୍ଘଟଣା ଦୁଃଖଦାୟକ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି। ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।