ଅଲୋଡା ଶିଶୁ କନ୍ୟା

ଫୁଲବାଣୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଡାକ୍ତରଖାନା ଶୌଚାଳୟରୁ ମୃତଦେହ ଠାବ

ଫୁଲବାଣୀ,୧୭/୦୬: ପୁଣି ଅଲୋଡା ହୋଇ ପଡିଛି ଶିଶୁ କନ୍ୟା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶୌଚାଳୟରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସଫେଇ କର୍ମଚାରୀମାନେ ହସ୍ପିଟାଲ ପରିସର ସଫା କରୁଥିବା ବେଳେ ମେଡିସିନ୍ ୱାର୍ଡର ଶୌଚାଳୟରେ ମୃତଦେହ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏ ନେଇ ଟାଉନ ଥାନାକୁ ଜଣାଇବା ପରେ ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନବଜାତ ଶିଶୁର ପରିଚୟ ଓ ଶିଶୁକନ୍ୟା କିପରି ଶୌଚାଳୟରେ ପହଞ୍ଚିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଡାକ୍ତରଖାନାର ପ୍ରସୂତି ବିଭାଗ ଓ ମହିଳା ମେଡିସିନ ୱାର୍ଡ଼ରେ କୌଣସି ଶିଶୁଙ୍କର ମୃତ୍ୟୁ ହୋଇନଥିବା ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ସ୍ପଷ୍ଟ କରିଛନ୍ତି। ସର୍ବସାଧାରଣ ଶୌଚାଳୟ ହୋଇଥିବାରୁ କେହି ଶିଶୁକନ୍ୟାକୁ ଫିଙ୍ଗି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।