ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଆଇନମନ୍ତ୍ରୀ।

ଏଏସଆଇ ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଆଇନମନ୍ତ୍ରୀ

ଭୁବନେଶ୍ବର, ୧୯/୦୬: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଅଧୀକ୍ଷକଙ୍କ ବୟାନକୁ ଖଣ୍ଡନ କରି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଜଣେ ସରକାରୀ ଅଧିକାରୀ ଏହି ପ୍ରସଙ୍ଗରେ ଶୃଙ୍ଖଳାହୀନ ଢଙ୍ଗରେ ବୟାନ ଦେଇ ନିଜର ଦୋଷ ତ୍ରୁଟି ଲୁଚାଇବା ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିୟମ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରତ୍ନ ଭଣ୍ଡାର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ କିଛି ନିଷ୍ପତ୍ତି ହୋଇନି। ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି, କିନ୍ତୁ କେବେ ଖୋଲାଯିବ ଏ ନେଇ କିଛି ନିଷ୍ପତ୍ତି ହୋଇନି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲାଯିବ ବୋଲି ଏଏସଆଇ ଅଧୀକ୍ଷକ ଡି.ବି ଗଡନାୟକ ସୂଚନା ଦେଇଥିଲେ। ଜୁଲାଇ ୮ ରେ ରତ୍ନ ଭଣ୍ଡାରର ଭିତର କାନ୍ଥ ଯାଞ୍ଚ କରାଯିବ ଏବଂ କୋର କମିଟି ଓ ବୈଷୟିକ କମିଟି ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ସେ କହିଥିଲେ।