ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍

ସପ୍ତାହକ ମଧ୍ୟରେ ପିଡିଏସ କାର୍ଡଧାରୀଙ୍କ ପାଇଁ ଭୁବନେଶ୍ୱରରେ ପ୍ରଥମେ ଚାଉଳ ଏଟିଏମ୍ ଖୋଲାଯିବ।

ଚାଷୀଙ୍କୁ ହଇରାଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ବର, ୨୦/୦୬: ରାଜ୍ୟରେ ପିଡିଏସ୍ ସାମଗ୍ରୀ ସୁରୁଖୁରୁରେ ବଣ୍ଟନ କରିବା ପାଇଁ ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସପ୍ତାହକ ମଧ୍ୟରେ ପିଡିଏସ କାର୍ଡଧାରୀଙ୍କ ପାଇଁ ଭୁବନେଶ୍ୱରରେ ପ୍ରଥମେ ଚାଉଳ ଏଟିଏମ୍ ଖୋଲାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ସୁବିଧା ଯୋଗାଇ ଦିଆଯିବ।

ଚଳିତ ଋତୁରୁ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଏମଏସପିରେ ଖରିଫ ଧାନ କିଣିବେ। ଏଥିପାଇଁ କେନ୍ଦ୍ର ସରକାର ୨୩୦୦ ଟଙ୍କା ବହନ କରିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କୁ ୮୦୦ ଟଙ୍କା ବହନ କରିବାକୁ ପଡ଼ିବ। ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ। ତେଣୁ ମଣ୍ଡିରେ ଚାଷୀଙ୍କୁ କୌଣସି କଟନି ଛଟନିର ସାମନା କରିବାକୁ ପଡ଼ିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ପ୍ରଥମ ଥର ପାଇଁ ସମୀକ୍ଷା ବୈଠକ କରିଥିଲେ। କୌଣସି ମିଲର କଟନୀ ଛଟନୀ କରି ପାରିବେ ନାହିଁ। ଚାଷୀମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସାମନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।