ଝାରସୁଗୁଡ଼ାରେ ପୁନଃ ଯାଞ୍ଚ ହେବ ଇଭିଏମ

ଝାରସୁଗୁଡ଼ାର ୧୩ଟି ବୁଥର ଇଭିଏମ୍ ପୁନଃ ଯାଞ୍ଚ ହେବ।

ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ କମିଶନ

ଭୁବନେଶ୍ବର, ୨୧/୦୬: ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୫ ଦିନ ଉପରେ ହୋଇଗଲାଣି। କିନ୍ତୁ ରାଜ୍ୟର ୧୩ଟି ବୁଥର ଇଭିଏମ ପୁନଃ ଯାଞ୍ଚ ହେବ। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ପୁନଃଯାଞ୍ଚ ପାଇଁ ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଆବେଦନକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଫଳାଫଳରେ ସନ୍ତୁଷ୍ଟ ନଥିଲେ ଦୀପାଳି ଦାସ। ଏଥିପାଇଁ ଦୀପାଳି ନିର୍ବାଚନ କମିଶନଙ୍କ ନିକଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୧୩ଟି ବୁଥରେ ଇଭିଏମ୍ ଯାଞ୍ଚ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମାତ୍ର ୧,୩୩୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ। ଭୋଟ ଗଣତି କିମ୍ବା ଇଭିଏମରେ ତ୍ରୁଟି ଥିବା ଆଶଙ୍କା କରି ସେ ଇଭିଏମର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଶୁକ୍ରବାର ଏହି ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି।