୨୦୩୬ ଯାଏ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳା ନାଥ ସିଂହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

୩ ବର୍ଷ ବଢିଲା ହକି ଇଣ୍ଡିଆ ସ୍ପନସରସିପ

ଭୁବନେଶ୍ବର, ୨୧/୦୬: ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି ଓଡ଼ିଶା। ଏବେ ଆହୁରି ୩ ବର୍ଷ ଯାଏଁ ହକି ସ୍ପନସରସିପ୍ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହକି ଇଣ୍ଡିଆର ପ୍ରାୟୋଜକ ଭାବେ ୨୦୩୬ ଯାଏ ରହିବ ଓଡ଼ିଶା। ଗତବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟୋଜକ ଚୁକ୍ତି ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରି ନବୀକରଣ କରିଥିଲେ। ଏବେ ବିଜେପିର ନୂଆ ସରକାର ଏହାକୁ ୩ ବର୍ଷ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଆଜି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ମହାସଚିବ ଭୋଳା ନାଥ ସିଂହଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବୈଠକରେ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ଉପସ୍ଥିତି ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ସେଥିପାଇଁ ହକି ଇଣ୍ଡିଆର ସ୍ପନସରସିପକୁ ଓଡ଼ିଶା ସରକାର ୨୦୩୩ରୁ ୨୦୩୬କୁ ବୃଦ୍ଧି କରିଛନ୍ତି। ହକିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

୨୦୧୮ରେ ଭୁବନେଶ୍ୱର ଏବଂ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଲଗାତାର ଦୁଇଟି ପୁରୁଷ ବିଶ୍ୱକପ୍ ଆୟୋଜନ କରିଥିଲା ଓଡ଼ିଶା। ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମଧ୍ୟ ଆୟୋଜନ କରାଯାଇଥିଲା।