ମଦମୁକ୍ତ ହେବ କି ଓଡିଶା?

ନିଶା ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

କ’ଣ କହିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ବର, ୨୬/୦୬: ଓଡ଼ିଶା ଖୁବ ଶୀଘ୍ର ମଦମୁକ୍ତ ହେବାକୁ ଯାଉଛି। ଓଡିଶାକୁ ମଦମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଏକ ସୁସ୍ଥ ସମାଜ ଗଠନ ପାଇଁ ନିଶାଦ୍ରବ୍ୟର ନିଷେଦ୍ଧାଦେଶ ଜରୁରୀ। ମଦ ନିଶା ସମାଜକୁ କଳୁଷିତ କରୁଛି। ଯାହା ଦ୍ୱାରା ବହୁ ସମସ୍ୟା ଉପୁଜୁଛି। ରାଜ୍ୟରେ ମଦ ସେବନ ହ୍ରାସ ପାଇଁ ପଦକ୍ଷେପ ନିଆଯିବ। ଏ ନେଇ ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯାଇ ରାଜ୍ୟରେ ପର୍ଯ୍ୟାୟ କ୍ରମେ ମଦ ବନ୍ଦ କରାଯିବ। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି। ବିହାର, ଗୁଜରାଟ, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟରେ ମଦ ନିଷେଧ। ଆଗକୁ ଏହି ତାଲିକାରେ ଓଡ଼ିଶା ସାମିଲ ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ରାଜକୋଷକୁ ସମୃଦ୍ଧ କରିବା ପାଇଁ ମଦ ଅନ୍ୟତମ ମାଧ୍ୟମ। ମଦରୁ ଅନେକ ରାଜସ୍ୱ ଆଦାୟ କରନ୍ତି ରାଜ୍ୟ ସରକାର। କିନ୍ତୁ ଏହାରି ଭିତରେ ଓଡ଼ିଶାରେ ମଦ ନିଷେଧ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।