ବ୍ରିଟେନରେ ସୁନକ ରାଜର ଅନ୍ତ; ହାରିଲା କନଜରଭେଟିଭ୍ ପାର୍ଟି

୧୪ ବର୍ଷ ପରେ ବ୍ରିଟେନରେ କନଜରଭେଟିଭ୍ ପାର୍ଟି କ୍ଷମତାଚ୍ୟୁତ କରି ଲେବର ପାର୍ଟି ସରକାର ଗଢିଛି।

କେୟର ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନ୍, ୦୫/୦୭: ବ୍ରିଟେନ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି କନଜରଭେଟିଭ୍ ପାର୍ଟି। ବ୍ରିଟେନରେ ଶେଷ ହୋଇଛି ଋଷି ସୁନକଙ୍କ ରାଜ। ପରାଜୟର ସମ୍ମୁଖୀନ ହୋଇଛନ୍ତି ଋଷି ସୁନକ। ପରାଜୟ ବରଣ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଋଷି ସୁନକ। ୧୪ ବର୍ଷ ପରେ କନଜରଭେଟିଭ୍ ପାର୍ଟିର ଶାସନରେ ଅନ୍ତ ଘଟିଛି। ଲେବର ପାର୍ଟି ଐତିହାସିକ ବିଜୟ ହାସଲ କରିଛି। ଲେବର ପାର୍ଟିର କେୟର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

ବ୍ରିଟେନରେ ସାଧାରଣ ନିର୍ବାଚନ ପାଇଁ ଗୁରୁବାର (ଜୁଲାଇ ୪) ମତଦାନ ଶେଷ ହୋଇଛି। ମତଦାନ ସରିବା ପରେ ଏଠାରେ ଭୋଟ ଗଣତି ହୋଇଥିଲା। ଭୋଟ ଗଣତି ପରେ ଲେବର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଲେବର ପାର୍ଟି ପ୍ରାର୍ଥୀ କେୟର ଷ୍ଟାରମର ବିଜୟୀ ହୋଇଛନ୍ତି। ଲେବର ପାର୍ଟିର ୧୪ ବର୍ଷର ନିର୍ବାସନ ଶେଷ ହୋଇଛି। ଏହା ସହ ଷ୍ଟାରମର୍ ସୁନକଙ୍କୁ କ୍ଷମତାରୁ ହଟାଇ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଭୋଟ ଗଣତି ପୂର୍ବରୁ ଏକ୍ଜିଟ୍ ପୋଲରେ ଲେବର ପାର୍ଟିକୁ ୬୫୦ରୁ ୪୧୦ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ସେହିପରି ଋଷି ସୁନକଙ୍କ କନଜରଭେଟିଭ୍ ପାର୍ଟିକୁ ୧୩୧ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିଲା। ଏକ୍ଜିଟ୍ ପୋଲ୍ ଆକଳନ ଫଳାଫଳରେ ପରିଣତ ହୋଇଛି। ଲେବର ପାର୍ଟି ମ୍ୟାଜିକ୍ ନମ୍ବର ୩୨୬ ପାର କରିଥିବା ବେଳେ ଲେବର ପାର୍ଟିକୁ ୪୦୭ ଆସନ ଓ କନଜରଭେଟିଭ୍ ପାର୍ଟିକୁ ମାତ୍ର ୧୧୨ଟି ଆସନ ମିଳିଛି। ସେପଟେ ପରାଜୟ ପରେ ନିଜକୁ ଦାୟୀ କରିଛନ୍ତି ଋଷି ସୁନକ।

ପରାଜୟ ସ୍ୱୀକାର କରିବା ସହ ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁନକ। କରୋନା ମହାମାରୀ ପରିଚାଳନା ଓ ଦେଶକୁ ବେଆଇନ ଅନୁପ୍ରବେଶ ରୋକିବା ଦିଗରେ ବିଫଳ ହୋଇଥିବାରୁ ଋଷି ସୁନକ ଓ କନଜରଭେଟିଭ୍ ପାର୍ଟି ଉପରେ କ୍ଷୁବ୍ଧ ଥିଲେ ସାଧାରଣ ଜନତା। ନିର୍ବାଚନରେ ଅର୍ଥନୀତି ଓ ଇମିଗ୍ରେସନକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ରାଜନୈତିକ ଦଳ। ଲେବର ପାର୍ଟି ସରକାରକୁ ଆସିଲେ ଅଧିକ ଟିକସ ଆଦାୟ କରିବ ବୋଲି କନଜରଭେଟିଭ୍ ଚେତାବନୀ ଦେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଋଷି ସୁନକ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସରେ ବି ବିଫଳ ହୋଇଥିଲେ।

୧୪ ବର୍ଷ ଧରି କନଜରଭେଟିଭ୍ ପାର୍ଟି ଶାସନ ଓ ଋଷି ସୁନକଙ୍କ ନେତୃତ୍ୱ କାଳରେ ଭାରତ ପ୍ରତି ଭଲ ଆଭିମୁଖ୍ୟ ଦେଖାଇ ଆସୁଥିଲା ବ୍ରିଟେନ୍। ସୁନକଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏକ ଉଲ୍ଲେଖନୀୟ ସଫଳତା ଥିଲା। ପୁଞ୍ଜିନିବେଶ ଏବଂ ବାଣିଜ୍ୟ ବୃଦ୍ଧି ପାଇଁ ବ୍ରିଟେନ-ଭାରତ ରୋଡମ୍ୟାପ୍ ୨୦୩୦ ଏବଂ ଉନ୍ନତ ବାଣିଜ୍ୟ ଭାଗିଦାରୀ ସମେତ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଏବଂ ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ଲେବର ପାର୍ଟିର ବିଜୟ ପରେ ମଧ୍ୟ ଭାରତ ପ୍ରତି ବ୍ରିଟେନର ଆଭିମୁଖ୍ୟ ଭଲ ରହିପାରେ ବୋଲି ଆଶା କରାଯାଉଛି।