ପଦ୍ମଶ୍ରୀ କମଳା ପୂଜାରୀଙ୍କର ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ 'ପଦ୍ମଶ୍ରୀ' ପାଇଥିଲେ କମଳା।

ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୦୭: ପଦ୍ମଶ୍ରୀ କମଳା ପୂଜାରୀଙ୍କର ପରଲୋକ ଘଟିଛି। ବୟସାଧିକ୍ୟ ଯୋଗୁଁ ରୋଗ ଗ୍ରସ୍ତ ହୋଇ ପଡ଼ିଥିବା କମଳା ପୂଜାରୀ ୭୩ ବର୍ଷ ବୟସରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଆଜି ଭୋର ୫ଟା ୪୫ରେ ତାଙ୍କର ଦେହାନ୍ତ ହୋଇଛି।

କିଡନୀ ଜନିତ ସମସ୍ଯା ନେଇ ସେ ଚିକିତ୍ସିତ ହେଉଥିଲେ। ଡକ୍ଟର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ମେଡିସିନ୍ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲମୋନୋଲୋଜି ବିଭାଗର ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଦୁଇ ଦିନ ତଳେ ଅସୁସ୍ଥ ହୋଇ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜୟପୁର ସ୍ଥିତ ଏକ ଡାକ୍ତରଖାନାରୁ ଏସସିବି ମେଡିକାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବରେ ଦେଶରେ ପରିଚିତ ଥିଲେ। କୃଷିରେ ଉଲ୍ଲେଖନୀୟ ଅବଦାନ ତଥା ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ। ୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ ରଖି ଚର୍ଚ୍ଚାକୁ ଆସିଥିଲେ। ସେହିପରି କମଳା ପୂଜାରୀ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ‘ଇକ୍ୟୁଏଟର ଇନିସିଏଟିଭ୍ ଆୱାର୍ଡ’ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ।

ପଦ୍ମଶ୍ରୀ କମଳା ପୂଜାରୀଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ପରଲୋକଗତ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କମଳା ପୂଜାରୀ ଜଣେ ଅସାଧାରଣ, ଗୁଣୀ ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ ରାଜ୍ୟ ଓ ସାରା ଦେଶ ତାଙ୍କୁ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି।